କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ସୀମା ବିବାଦ ଥମିବାର ନା ଧରୁନି । ଏନେଇ ରାଜ୍ୟ ସରକାର ଓ ଆନ୍ଧ୍ର ସରକାର ମଧ୍ୟରେ ଟଣାଓଟରା ଦେଖା ଦେଇଛି । ଏହାରି ଭିତରେ ଦେଖାଦେଇଛି କୋରାପୁଟ ପ୍ରଶାସନର ଉନ୍ନତମୂଳକ କାର୍ଯ୍ୟ । ପାହାଡ଼ ପର୍ବତ ମଧ୍ୟରେ ଛପି ରହିଥିବା ଛୋଟ ବଡ଼ ଗାଁ ଗୁଡିକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ।
କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଏକ ପାହାଡ଼ ଉପରେ ଡଲିଆମ୍ବ ଗ୍ରାମ ଅବସ୍ଥିତ । ଏଠାରେ ଆଇଟିଡିଏ ପକ୍ଷରୁ ଷ୍ଟ୍ରବେରୀ ଭଳି ଚାଷ ଆରମ୍ଭ କରାଯାଇଛି । ଷ୍ଟ୍ରବେରୀ ଭଳି ଅର୍ଥକାରୀ ଫସଲ କରି ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରିବାକୁ ଆଇଟିଡିଏ ଦ୍ବାରା ଏକ ପ୍ରୋଜେକ୍ଟ ତିଆରି କରାଯାଇଛି । ଏହା ଦ୍ବାରା ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀମାନ ଲାଭବାନ ହେବେ ବୋଲି ପ୍ରୋଜେକ୍ଟ ମ୍ୟାନେଜର ସତ୍ୟରଞ୍ଜନ ମହାନ୍ତି କହିଛନ୍ତି । ଡଲିଆମ୍ବ ଗ୍ରାମରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ଅନୁଭୂତ ହୋଇଥାଏ । ତେଣୁ ଏହା ଷ୍ଟ୍ରବେରୀ ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇଛି । ଗ୍ରାମବାସୀଙ୍କ ସହଭାଗିତାରେ ଗ୍ରାମ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ ଉପଯୋଗୀ କରାଯାଇଛି ।
ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ଜଣାପଡ଼ିଛି । ତେବେ କ୍ଷେତ ପ୍ରସ୍ତୁତିରେ ବିଶେଷଜ୍ଞ ସହଯୋଗ କରୁଥିବା ଏସଡିସିର ପ୍ରକଳ୍ପ ଅଧିକାରୀ କାଶୀ ପ୍ରସାଦ ନାୟକ ଜଣାଇଛନ୍ତି । ଏହି ଫସଲରେ ଗ୍ରାମବାସୀ ସଫଳ ହେଲେ ଡଲିଆମ୍ବର ଷ୍ଟ୍ରବେରୀ ଚାଷ ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିବ ବୋଲି ସେ ଆଶାପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ