କୋରାପୁଟ: ଆସନ୍ତା ଶନିବାର ଗଣେଶ ଚତୁର୍ଥୀ । ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟରାତ୍ରିରୁ ଚଳିତ ମାସ 31 ତାରିଖ ମଧ୍ୟରେ ଥିବା ଦୁଇଟି ଶେଷ ଶନିବାର ଓ ରବିବାର ଦିନ କୋରାପୁଟ ଜିଲ୍ଲା ବ୍ୟାପି ସଟଡାଉନ ରହିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଘୋଷଣା କରିଛନ୍ତି ।
ଆଜି ଜିଲ୍ଲା ପ୍ରଶାସନ ଚଳିତ ମାସର ଶେଷ ଦୁଇଟି ଶନିବାର ଓ ରବିବାର କରୋନା ନିୟନ୍ତ୍ରଣ ନିମନ୍ତେ ସଟଡାଉନ ଘୋଷଣା କରିବା ଫଳରେ ଉତ୍ସବ ପାଳନ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି । ଗତ କିଛିଦିନ ଧରି ଜିଲ୍ଳାରେ କୋରୋନା ଟେଷ୍ଟିଂ ବହୁଗୁଣରେ ବୃଦ୍ଧି ପାଇଥିବା ଯୋଗୁଁ କୋରୋନା ସଂକ୍ରମଣର ଚିହ୍ନଟ ମଧ୍ୟ ଅଧିକ ସଂଖ୍ୟକ ହେଉଥିବା ଦେଖାଦେଇଛି ।
ତେବେ ବ୍ୟବସାୟ କରିବାର ସମୟ ସୀମାକୁ ଆଜି ମଧ୍ୟରାତ୍ରିରୁ ବଢ଼ାଇ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଗୁଡିକ ସକାଳ 7 ଟା ଠାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଖୋଲା ରହୁ ଥିବାବେଳେ ଏବେ ସବୁଦିନ ସକାଳ 7ଟା ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଆଜି କୋରାପୁଟରେ ଥିବା ସର୍କଲ କାରାଗାରରେ 14 ଜଣଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ସମୁଦାୟ 95 ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ