କୋରାପୁଟ: ପଞ୍ଚମ ବେତନ କମିଶନର ପରାମର୍ଶ କ୍ରମେ କେନ୍ଦ୍ର ସରକାର 1998 ମସିହାରୁ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଆସୁଥିଲେ ମଧ୍ୟ ଓଡ଼ିଶା ରାଜ୍ୟ ସରକାର ଏହି ସୁବିଧାରୁ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ବଞ୍ଚିତ କରିଥିବା ଜିଲ୍ଲା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଅଭିଯୋଗ କରିଛି ।
ରାଜ୍ୟ ସରକାର 2012 ମସିହାରେ କେବଳ ଅବସରପ୍ରାପ୍ତ ଯୁଡ଼ିସିଆଲ କର୍ମଚାରୀଙ୍କୁ ମାସିକ 1500 ଟଙ୍କା ସ୍ୱାସ୍ଥ୍ୟ ସେବା ଭତ୍ତା ପ୍ରଦାନ କରିଥିବା ବେଳେ ଅନ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂଘର ସଭାପତି ରଘୁନାଥ ଦାସ । ରାଜ୍ୟସରକାରଙ୍କ ଏହି ପାତର ଅନ୍ତର ନୀତିକୁ ବିରୋଧ କରି ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଂଘ ଦାବି କରିଥିବା ଦାସ ଜଣାଇଛନ୍ତି ।
ଏଥିସହିତ କେନ୍ଦ୍ର ସରକାର ଡିଆର୍ନେସ ରିଲିଫରେ ବୃଦ୍ଧି କରିବା ପରେ ଅନ୍ୟ ରାଜ୍ୟ ଗୁଡ଼ିକ ଅବସର ପ୍ରାପ୍ତ କର୍ମଚାରୀଙ୍କୁ 3% ବର୍ଦ୍ଧିତ ହାରରେ ସହାୟତା ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ଏହି ସୁବିଧା ଯୋଗାଇଦେବାକୁ ପଛଘୁଞ୍ଚା ଦେଇଥିବା ଦାସ କହିଛନ୍ତି । ଚଳିତ ମାସ 31ତାରିଖ ସୁଦ୍ଧା ସରକାର ଏ ଦିଗରେ ଉଚିତ ପଦକ୍ଷେପ ନ ନେଲେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।
ଇଟିଭି ଭାରତ, କୋରାପୁଟ