କୋରାପୁଟ: ଓଡିଶାରେ ଚାଲିଛି ଦଲାଲ ଦମନ ଅଭିଯାନ । ଏନେଇ ରାଜ୍ୟର ପ୍ରାୟ ସମସ୍ତ ମେଡିକାଲ ଓ ଆରଟିଓ ଅଫିସରେ ପୋଲିସ ପକ୍ଷରୁ ଚଡାଉ କରାଯାଉଛି । ଏହି କ୍ରମରେ ଗୁରୁବାର କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଟାଉନ ଥାନାର ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଚଢ଼ାଉ କରିଥିଲା ।
ତେବେ ଏହି ଚଢାଉ କୋରାପୁଟ ଟାଉନ ଥାନା ଏସଡିପିଓ ବଳଭଦ୍ର ଦୀପଙ୍କ ନେତୃତ୍ବରେ କରାଯାଇଥିଲା । ଦଲାଲ ସନ୍ଦେହରେ 2 ଜଣଙ୍କୁ ଏବଂ 3 ଜଣ ଠିକା କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଥିସହିତ ପରିବହନ କାର୍ଯ୍ୟାଳୟ ଭିତରେ ଥିବା ସ୍ମାର୍ଟଚିପ୍ର ସମସ୍ତ କାଗଜପତ୍ର ଓ କମ୍ପ୍ୟୁଟରକୁ ମଧ୍ୟ ଜବତ କରାଯାଇଛି ।
ସୂଚନାଯୋଗ୍ୟ, କୋରାପୁଟ କାର୍ଯ୍ୟାଳୟରେ ଦଲାଲଗିରି ଚାଲୁଥିବା ଏବଂ ଠିକା କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ ଭାବେ ଧାର୍ଯ୍ୟ କରାଯାଇଥିବା ଅର୍ଥ ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଅପରପକ୍ଷେ ପ୍ରବଳ ଗହଳି ଓ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ କିଛି ସମୟ ପୋଲିସ ଗାଡିକୁ ଅଟକାଇ ଜବତ କରାଯାଇଥିବା ବ୍ୟବସ୍ଥାର ବିକଳ୍ପ ନଦେଇ ଲୋକଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ