କୋରାପୁଟ: ଭତ୍ତା ପାଇଁ ଆଉ ଯିବାକୁ ପଡ଼ିବନି ଦୂରବାଟ । ନିକଟସ୍ଥ ବ୍ୟାଙ୍କରୁ ମିଳିବ ମାସିକ ବାର୍ଦ୍ଧକ୍ୟ ଭତ୍ତା । କୋଟିଆର ଦୁର୍ଗମ ଅଞ୍ଚଳ ଫାଟୁଶିନେରି, ଫଗୁଣସିନେରି ଭଳି ଗ୍ରାମରୁ ବୟଷ୍କଲୋକଙ୍କୁ ଜଙ୍ଗଲ ପାହାଡ଼ ଅତିକ୍ରମ କରି ଭତ୍ତା ଆଣିବାକୁ ଯିବାକୁ ପଡୁଥିଲା । ସେଥିପାଇଁ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ପୂର୍ବରୁ ପଟାଙ୍ଗି ସ୍ଥିତ ବ୍ୟାଙ୍କରୁ ବାର୍ଦ୍ଧକ୍ୟ ଭତ୍ତା ଆଣୁଥିଲେ । ହିତାଧିକାରୀଙ୍କ ସୁବିଧା ନେଇ ପ୍ରଶାସନର ଏଭଳି ପଦକ୍ଷେପ ପରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଆନ୍ଧ୍ର ସରକାର ଲୋଭ ଦେଖାଇ କେତେକ ଲୋକଙ୍କ ଘରେ ଭତ୍ତା ପହଞ୍ଚାଉଥିବା ଅଭିଯୋଗ ହୋଇଛି । ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ କୋଟିଆରେ କାର୍ଯ୍ୟକ୍ଷମ ହୋଇଥିବା ଏକ ବ୍ୟାଙ୍କରେ ସମସ୍ତ ହିତାଧିକାରୀଙ୍କ ଖାତା ଖୋଲିବାର ଯୋଜନା ଥିବା MGNREGSର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସୌମେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ