କୋରାପୁଟ: ବଣ ପାହାଡ଼ ଘେରା ଓଡିଶାର ପଛୁଆ ଜିଲ୍ଲା ଭାବେ ପରିଚିତ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା । ଯେଉଁଠି ପ୍ରତିଦିନ ଦେଖିବାକୁ ମିଳେ ଜୀବନ ଜୀଵିକା ସହିତ ସଂଘର୍ଷ କରୁଥିବା ମଣିଷ । ବଞ୍ଚିବା ପାଇଁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଆଦିବାସୀ । ଯେଉଁଠି ମୋବାଇଲ ଫୋନ ଲୋକଙ୍କ ପାଇଁ ସ୍ବପ୍ନ, ସେଠାରେ ପିଲା ମୋବାଇଲରେ କେମିତି ପଢିବେ ପାଠ?
ସ୍ମାର୍ଟଫୋନଟିଏ ପାଖରେ ନାହିଁ । ସରକାରଙ୍କ ମେସେଜ କିପରି ପାଇବେ ? କିପରି ହ୍ବାଟ୍ସ ଆପରେ ପାଠ ପଢିବେ ପିଲାଏ । ସରକାର ଆରମ୍ଭ କରିଛନ୍ତି ଏ ବ୍ୟବସ୍ଥା । ହେଲେ ପିଲାଙ୍କ ପାଖରେ ମୂଳରୁ ନାହିଁ ଫୋନ । ସରକାରଙ୍କ ମେସେଜ ପାଇବା ଦୂର କଥା । ସପ୍ତମ ଶ୍ରେଣୀର ସୁନି କିରସାନି ପାଖରେ ପହଞ୍ଚିଛି ବହି । ହେଲେ ଫୋନ ନାହିଁ କି ପହଞ୍ଚିନି ସରକାରଙ୍କ ମେସେଜ । ବିନା ଶିକ୍ଷକରେ ନୂଆ ବହି ତା ପାଇଁ ପାଲଟିଛି ଅଜଣା ବସ୍ତୁ । ସେହିପରି ଗାଁର ଆଶା ଦିନି ଅଖିରାଣୀ ରଖିଛନ୍ତି ଆଣ୍ଡ୍ରଏଡ ଫୋନ । ହେଲେ ନିଜ କର୍ମବ୍ୟସ୍ତତା ଯୋଗୁଁ ପିଲାଙ୍କୁ ଦେଇପାରୁନାହାନ୍ତି ସମୟ । ଏହା ହେଉଛି କୋରାପୁଟର ସରକାରୀ ବିଦ୍ୟାଳୟ ପିଲାଙ୍କ କାହାଣୀ । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା ।
ଡିଜିଟାଲ ଦୁନିଆରେ ଆମେ ପାଦ ଥାପିଛୁ । ଅତ୍ୟାଧୁନିକ ବ୍ୟବସ୍ଥାରେ ଶିକ୍ଷାଦାନ ହେଉଛି । ଲକଡାଉନରେ ବି ଚାଲିଛି ଅନଲାଇନ ପାଠପଢା । ହେଲେ ପ୍ରକୃତରେ ଏହାର ସଫଳତା ଉପରେ କାହାରି ନାହିଁ ନଜର । କୋରାପୁଟ ଭଳି ଜାଗାରେ ସମସ୍ତ ପିଲାଙ୍କ ପାଖରେ ଏହି ସୁବିଧା ପହଞ୍ଚିବା ଅସମ୍ଭବ । ପିଲାଙ୍କ ପାଖରେ ଫୋନର ରହିଛି ଅଭାବ । ଏପରି ସମୟରେ ପିଲା ହ୍ବାଟ୍ସ ଆପରେ ପଢିବେ କେମିତି । ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଏପରି ବ୍ୟବସ୍ଥାର ସୁବିଧା କେବଳ 60ରୁ 70 ଭାଗ ପିଲା ପାଇପାରିବେ । ପିଲାଙ୍କ ପାଇଁ ସରକାରଙ୍କ ହ୍ବାଟ୍ସ ଆପ ମେସେଜ ପାଠପଢା ଯେ ମରୀଚିକା ସାଜିଛି ଏହା ମାନିବା କିଛି ଭୁଲ ନୁହେଁ ।
ଅନ ଲାଇନ କ୍ଲାସ । ଶୁଣିବାକୁ ଅତ୍ୟାଧୁନିକ ଲାଗୁଚି ସତ ହେଲେ ବାସ୍ତବିକତା ଭିନ୍ନ । ଖୋର୍ଦ୍ଧାରେ ସଫଳତା ପରେ କୋରାପୁଟରେ ଲାଗୁ କରିବାର ଚାଲିଛି ପ୍ରୟାସ । କିନ୍ତୁ ତୃଣମୂଳ ଭିତ୍ତିଭୂମିକୁ ସରକାର ଭୁଲିଯାଇଥିବା ପରି ଲାଗୁଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ