କୋରାପୁଟ: ଟିକେ ବର୍ଷା- ପବନ -ଘଡଘଡି ହେଲେ କୋରାପୁଟରେ ବିଦ୍ୟୁତ ପ୍ରବାହ ବନ୍ଦ ହେବା ଥୟ । ଏନେଇ ଲୋକ ମଧ୍ୟ ନିଶ୍ଚିତ ହୋଇଉଠୁଛନ୍ତି । କାରଣ ବିଦ୍ୟୁତ ବିଭାଗ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ବର୍ଷା ହେବା ପୂର୍ବରୁ ସୁନାବେଡ଼ାରେ ଥିବା ଗ୍ରୀଡ଼ରେ ସଂଯୋଗ ବିଚ୍ଛିନ୍ନ କରିଦେଇଥାଏ । ଆଉ ବର୍ଷା ଛାଡିଯିବା ପରେ ସୁନାବେଡାରୁ କୋରାପୁଟ ପର୍ଯ୍ୟନ୍ତ ସମସ୍ୟାର ସଠିକ କାରଣ ଖୋଜିବା ଆରମ୍ଭ ହୋଇଯାଏ । କିନ୍ତୁ ସମସ୍ୟାର ସମାଧାନ କଲାବେଳକୁ ବିଭାଗକୁ ଦୀର୍ଘ ସମୟ ଲାଗିଯାଏ । ତେବେ ଏହାର କାରଣ ହେଲା ବିଭାଗର ସଠିକ ରକ୍ଷଣାବେକ୍ଷଣାର ଅଭାବ । ଗଛଲତା ମଧ୍ୟଦେଇ ବାହାର ଦୁନିଆକୁ ଉଙ୍କିମାରି ଦେଖୁଥିବା ବିତରଣ ଷ୍ଟେସନ ଗୁଡିକରେ ସମସ୍ୟାକୁ ଠାବ କରିବାକୁ ସମୟ ଲାଗେ ।
ଏନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କଲେ ମଧ୍ୟ ସେମାନେ ନାଚାର ହୋଇ ଭାଗ୍ୟକୁ ନିନ୍ଦି ଘରେ ବସିରହିବା ହିଁ ସାର ହେଉଛି । ଏପଟେ ସାଉଥକୋ ଅଧୀନରେ ଥିବା ଏହି ବିତରଣ ବ୍ୟବସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଟ୍ରାନ୍ସଫର୍ମର ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରପାତି ପୁରୁଣା ହେଲାଣି । ଦିନେ ଯାହା କିଛି ଶହ ଗ୍ରାହକଙ୍କୁ ସେବା ଯୋଗାଉଥିଲା ସେହି ଯନ୍ତ୍ରପାତି ବର୍ତ୍ତମାନ ସରକାରଙ୍କ ବିଭିନ୍ନ ଯୋଜନାରେ ହୁହୁ ହୋଇ ବଢିଯାଇଥିବା ଆବଶ୍ୟକତାକୁ ମଧ୍ୟ ତାହା ସେବା ଯୋଗାଇବାକୁ ଚେଷ୍ଟା କରୁଛି । ଫଳରେ ଅତ୍ୟଧିକ ଭାର ସମ୍ଭାଳି ନପାରି ସେଗୁଡିକ ଅନେକ ସମୟରେ ଅକାମି ହୋଇପଡୁଛି । ତେବେ ଯନ୍ତ୍ରପାତି ସୁଦୂର ବ୍ରହ୍ମପୁରରୁ ଅଣାଯାଉଥିବା ଯୋଗୁଁ ସେବା ଯୋଗାଇବାରେ ବିଳମ୍ବ ହେଉଥିବା କୋରାପୁଟ ସାଉଥ କୋର ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ଜଣାଇଛନ୍ତି । ଏଥିସହିତ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଲାଗି ରହିଥିବା ଏହି ବିଳମ୍ବିତ ସେବାର ଆଉ ଏକ ମୁଖ୍ୟ କାରଣ ବୋଲି ନିର୍ବାହୀ ଯନ୍ତ୍ରୀ ମତ ରଖିଛନ୍ତି ।
ଏଥିସହ ତୁରନ୍ତ ପୁରଣା ଯନ୍ତ୍ରପାତି ସ୍ଥାନରେ ନୂତନ ଯନ୍ତ୍ରପାତିର ବ୍ୟବହାର ସାଙ୍ଗକୁ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ କରିବା ପାଇଁ ଲୋକଙ୍କୁ ନିଯୁକ୍ତି କରିବା ଦିଗରେ ସାଉଥ କୋ ଏବଂ ଜିଲ୍ଲା ପ୍ରଶାସନ ପ୍ରାଥମିକତା ପ୍ରଦର୍ଶନ କରିବା ଆବଶ୍ୟକ ବୋଲି ବେସରକାରୀ ବିଦ୍ୟୁତ ଯନ୍ତ୍ରୀ ରମେଶ ବିଶ୍ବାଳ ଜଣାଇଛନ୍ତି । ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ