କୋରାପୁଟ: ସାଧନା ବଳରେ ଅସାଧାରଣ କାର୍ଯ୍ୟ ବି ସହଜରେ କରିହୁଏ । କୌଣସି କାର୍ଯ୍ୟ ଅସମ୍ଭବ ହୋଇନଥାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ସ୍ବୟଂସିଦ୍ଧା । କୋରାପୁଟ ଜିଲ୍ଲାର ଛାତ୍ରୀ ସପ୍ତମ ଶ୍ରେଣୀ ସ୍ବୟଂସିଦ୍ଧା ସାହୁଙ୍କ ବିସ୍ମୟକର ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ଆଖିରେ ପଟି ବାନ୍ଧି ବହି ପଢ଼ିବା ସହ ଲେଖିପାରୁଛନ୍ତି ୧୨ ବର୍ଷୀୟ ନାବାଳିକା । ଖାଲି ସେତିକି ନୁହେଁ ବନ୍ଦ ଆଖିରେ ଚିତ୍ର ଆଙ୍କିବା, ବିଭିନ୍ନ ରଙ୍ଗକୁ ଚିହ୍ନି ପାରିବା ସହ ଘରର ସବୁ କାମ କରିପାରନ୍ତି ସ୍ବୟଂସିଦ୍ଧା ।
ଏହି କୌଶଳ ଆପେ ଆପେ ଆସିନାହିଁ । ଯୋଗ ସାଧନା ଦ୍ବାରା ଏହି ବିସ୍ମୟ ଦକ୍ଷତାର ଅଧିକାରୀ ହୋଇପାରିଛନ୍ତି ସ୍ବୟଂସିଦ୍ଧା । ଗ୍ରୀଷ୍ମ ଛୁଟିରେ ସ୍ବୟଂସିଦ୍ଧାଙ୍କ ବାପା କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଯୋଗେନ୍ଦ୍ର କୁମାର ସେନାପତିଙ୍କଠାରୁ ଟ୍ରେନିଂ ନେବାକୁ ଛାଡ଼ିଥିଲେ । ସ୍ବତନ୍ତ୍ର ତାଲିମ ଏବଂ ମିଳିଥିବା ଦିଗଦର୍ଶନକୁ ଆଧାର କରି ତିନିମାସ ଧରି ସେ ନିରନ୍ତର ସାଧନା କରିଥିଲେ । ଯାହା ତାଙ୍କୁ ଅପୂର୍ବ ଦକ୍ଷତାର ଅଧିକାରୀ କରାଇ ପାରିଛି । ସ୍ବୟଂସିଦ୍ଧା ସକାଳୁ ଉଠି ଆସନ, ଶାରୀରିକ ବ୍ୟାୟାମ, ଧ୍ୟାନ, ଚକ୍ଷୁର ସ୍ଵତନ୍ତ୍ର ବ୍ୟାୟମ କରିବା ପରେ ନିତ୍ୟକର୍ମ ଆରମ୍ଭ କରନ୍ତି । ଏହି ତାଲିମ ନେବା ପରେ ସ୍ବୟଂସିଦ୍ଧାଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆସିଥିଲା । ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିବା ବେଳେ ସ୍ମରଣଶକ୍ତି ମଧ୍ୟ ବୃଦ୍ଧି ପାଇଥିଲା । ବାହ୍ୟ ଆଖି ବନ୍ଦ ଥାଇ ମଧ୍ଯ ଭିତର ଆଖି ଖୋଲାଥିବା ମନେହୁଏ ବୋଲି ସ୍ବୟଂସିଦ୍ଧା କୁହନ୍ତି । ଏଥିସହ ସମସ୍ତ ପରିସ୍ଥିତିକୁ ସାମ୍ନାକୁ କରିବାକୁ ତାଙ୍କୁ ଶକ୍ତି ମିଳୁଥିବାର କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କଳାହାଣ୍ଡିର ଅଦ୍ଭୁତ କନ୍ୟା: ଆଖି ବନ୍ଦ କରି ପଢୁଛନ୍ତି ବହି, ଚଲାଉଛନ୍ତି ସାଇକେଲ
ସ୍ବୟଂସିଦ୍ଧାଙ୍କ ତାଲିମଦାତା ଯୋଗେନ୍ଦ୍ର କୁମାର ସେନାପତି କହିଛନ୍ତି, "ଏହି ତାଲିମ ପ୍ରକ୍ରିୟାରେ 5ରୁ 14 ବର୍ଷର ଶିଶୁଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ହରମୋନ ସୃଷ୍ଟି ହେଉଥିବା ସମୟରେ ମସ୍ତିଷ୍କରେ ଥିବା ଏକ ଗ୍ଲାଣ୍ଡକୁ ଧ୍ୟାନ, ସଙ୍ଗୀତ ଓ ସ୍ବତନ୍ତ୍ର ବ୍ୟାୟାମ ଦ୍ବାରା ଉନ୍ମୁକ୍ତ କରାଯାଏ । ପ୍ରତି ଶିଶୁ ମଧ୍ୟରେ ଥିବା ପଞ୍ଚନ୍ଦ୍ରିୟକୁ ତାଲିମ ମାଧ୍ୟମରେ ଉଜ୍ଜୀବିତ କରାଯିବା ଫଳରେ କିଛି ଦେଖିବା ପାଇଁ କେବଳ ଦର୍ଶନ ଇନ୍ଦ୍ରିୟର ଆବଶ୍ୟକତା ରୁହେ ନାହିଁ । ଶିଶୁ ଶୁଣିବା ମାଧ୍ୟମରେ ଓ ସ୍ପର୍ଶ କରିବା ମାଧ୍ୟମରେ ଦେଖିବାକୁ ସକ୍ଷମ ହୋଇପାରିବ । ଏହା କେବଳ ମାନସିକ ସ୍ତରରେ ସୁସ୍ଥ ଥିବା ଶିଶୁଙ୍କ ମଧ୍ୟରେ ସମ୍ଭବ ହୋଇପାରୁଥିବା ବେଳେ ମାନସିକ ଅନଗ୍ରସର କିମ୍ବା ଜନ୍ମରୁ ଦୃଷ୍ଟି ବାଧିତ ଶିଶୁଙ୍କ ଠାରେ ଏହା ସମ୍ଭବ ନୁହେଁ ।"
ଏହି ଦକ୍ଷତାର ତାଲିମ ଭାରତୀୟ ଶାସ୍ତ୍ରରେ ବହୁ ପୁରାତନ ବିଦ୍ୟା ଭାବେ ସ୍ଥାନ ପାଇଛି ଓ ଏହାର ଅଭ୍ୟାସ ଅନେକ ପୂର୍ବରୁ ସାଧକଙ୍କ ଦ୍ବାରା ହାସଲ କରାଯାଇଛି । ତେବେ ଶିଶୁଙ୍କ ମଧ୍ୟରେ ଏହି ସାଧନା କରାଯାଉଥିବା ଯୋଗୁଁ ଅଭିଭାବକ ମାନେ ଶିଶୁର ଅଗ୍ରଗତି ଓ ଏହି ତାଲିମ ଶିଶୁ ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ ତୀକ୍ଷ୍ଣ ଦୃଷ୍ଟି ଦେବା ଆବଶ୍ୟକ ବୋଲି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ଦୀପ ତ୍ରିପାଠୀ କହିଛନ୍ତି । ଅପରପକ୍ଷରେ ଏହି ପ୍ରକ୍ରିୟାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଉନଥିବା ସେ କହିଛନ୍ତି । ଯୋଗ ସାଧନା ଦ୍ବାରା ନିଜକୁ ଆୟତ୍ତ ରଖିପାରିଲେ ସବୁକିଛି ସମ୍ଭବ । ମାତ୍ର ୧୨ ବର୍ଷ ବୟସରେ ଏହି ବିସ୍ମୟ ଶକ୍ତିର ଅଧିକାରୀ ହୋଇପାରିଛନ୍ତି ସ୍ବୟଂସିଦ୍ଧା । ଯାହାକୁ ନେଇ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ