କୋରାପୁଟ: କୋରୋନା ଆତଙ୍କରେ ସମସ୍ତେ ଆଉଟୁ ପାଉଟୁ ହେଉଛନ୍ତି । ଖାଲି ମଣିଷ ନୁହନ୍ତି ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଲକଡାଉନରେ ସରକାର ବୁଲା ଗାଈ ଗୋରୁଙ୍କ ପାଇଁ ଆବଶ୍ୟକ ହେଉଥିବା ପରିମାଣର ଖାଦ୍ୟ ପାଇଁ କିଛି ବ୍ୟବସ୍ଥା କରିଥିଲେ । କିନ୍ତୁ ଘରେ ଗୋଚାଳନ କରୁଥିବା ଚାଷୀ ଦାନା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ବୁଲା ଗାଈଗୋରୁଙ୍କୁ କେହି ସହୃଦୟ ବ୍ୟକ୍ତି ବଳକା ଖାଦ୍ୟ ଦେଉଥିବା ବେଳେ ପନିପରିବା ବିକିବାକୁ ଆସୁଥିବା ଚାଷୀମାନେ ଯେଉଁ ପରିବା ଛାଡି ଯାଉଥିଲେ ତାକୁ ଖାଇ ଗାଈଗୋରୁମାନେ ନିଜ ଅଧା ପେଟ ପୁରା କରୁଥିଲେ । କିନ୍ତୁ ଗୋପାଳନ କରୁଥିବା ଚାଷୀମାନେ ଗାଈମାନଙ୍କ ପାଇଁ ଦାନା ଯୋଗାଡ କରିବାରେ ଅସୁବିଧା ଭୋଗୁଥିଲେ । ଲକଡାଉନ ଆରମ୍ଭରୁ ପ୍ରାଥମିକ ପର୍ଯ୍ୟାୟରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଥିଲା । ଯାହା ଦ୍ବାରା ଗାଈଙ୍କ ଦାନା ଆସି ପାରୁ ନଥିଲା ।
ସେପଟେ ଗୋଖାଦ୍ୟ ପ୍ରସ୍ତୁତିରେ ଆମ ରାଜ୍ୟ ଚାଷୀଙ୍କ ଭରଷା ଜିଣି ପାରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଦର୍ଶ ମହିଳା ଗୋ ଚାଷୀ ନମିତା ପାଟଯୋଶୀ । ସେପଟେ ଲକଡାଉନରେ କିଛି କୋହଳ ହେବା ପରେ କୋରାପୁଟକୁ ଦାନା ଯୋଗାଇବା ଆରମ୍ଭ କରିଛି ରାୟପୁର । ଆଉ ନେଉଛି ମନଇଚ୍ଛା ଦର । ଫଳରେ ଚାଷୀମାନେ ଠକାମୀର ଶିକାର ହେଉଛନ୍ତି ।
ବର୍ତ୍ତମାନ ଦାନାର ବର୍ଦ୍ଧିତ ଦର କମିବାର ସମ୍ଭାବନା ନଥିବା ବେଳେ ସରକାରଙ୍କ ତରଫରୁ ଗୋ ଚାଷୀଙ୍କୁ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ଫାର୍ମର୍ସ କମିଶନର ପୂର୍ବତନ ସମ୍ପାଦକ ଗଦାଧର ପରିଡା ଅନୁରୋଧ କରିଛନ୍ତି । ସେପଟେ ଲକଡାଉନରେ ଯାହା ବି ସମସ୍ୟା ଥିଲା ଯଥା ସମ୍ଭବ ସରକାର ଏହାକୁ ସମାଧାନ କରୁଛନ୍ତି ଏବଂ ଗାଈଙ୍କୁ ଦାନା ଯୋଗାଇ ଦିଆଯାଉଛ ବୋଲି କହିଛନ୍ତି କୋରାପୁଟର ଗୋଖାଦ୍ୟ ବ୍ୟବସାୟୀ ଦେବୀପ୍ରସାଦ ମିଶ୍ର ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ