କୋରାପୁଟ: ଚର୍ଚ୍ଚାରେ ଡ୍ୟାନ୍ସିଙ୍କ ଟିଚର। ନାଚି ନାଚି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍କୁଲ ଆସିବାକୁ ଡରୁଥିବା ପିଲାଙ୍କ ଭୟ ଛଡାଉଛନ୍ତି ଏହି ସାର। ପାଠ ପଢାଉଛନ୍ତି ସତ ହେଲେ ପଢାଇବାର ଶୈଳୀ ଅନ୍ୟମାନଙ୍କଠୁ ଟିକେ ନିଆରା।
ତେବେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟରେ ପାଠ ପଢ଼ାଯାଉନଥିବା , ଶିକ୍ଷକଙ୍କ ବେତ ମାଡରେ ପିଲାଏ ଅତିଷ୍ଠ ହୋଇ ପାଠପଢାରୁ ଅଧାରୁ ବିରତି ନିଅନ୍ତି। ହେଲେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଇଛି।
ଫ୍ରଫୁଲ୍ଲ ସାର୍ । ଏହି ନାଁରେ ହିଁ ପିଲାଙ୍କ ମୁହଁରେ ହସ ଖେଳିଯାଏ। କାରଣ ପିଲାଙ୍କୁ ଆକଟ କି ମାଡ ନମାରି ସ୍ନେହ ଶ୍ରଦ୍ଧାରେ ସେ ଶିକ୍ଷାଦାନ କରିଥାନ୍ତି। ଯାହା ବିଦ୍ୟାଳୟରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବିଦ୍ୟାଳୟର ଏହି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଠୀ।
ତେବେ ଶ୍ରେଣୀଗୃହରେ ପ୍ରତ୍ୟେକ ବିଷୟକୁ ତଦନୁଯାୟୀ ଖେଳ , ଗପ , ଗୀତ ଓ ନାଚ ମାଧ୍ୟମରେ ପଢ଼ାଇ ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତଛାତ୍ରୀଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି । ସୂଚନା ଅନୁସାରେ, ସର୍ବଶିକ୍ଷା ଅଭିଯାନର ଧାରାରେ ପ୍ରବର୍ତ୍ତିତ ଶିକ୍ଷଣ ପ୍ରକ୍ରିୟା ସମ୍ପର୍କରେ ଏକ ଉନ୍ନର ମାନର ତାଲିମଦାତା ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ପାଠୀ ନିଜ ବିଦ୍ୟାଳୟରେ ମଧ୍ୟ ତାକୁ ପ୍ରୟୋଗ କରିବାରୁ ପଛଘୁଞ୍ଚା ଦେଇନାହାନ୍ତି ।
ଛୋଟ ପିଲାଙ୍କ ଶ୍ରେଣୀଗୃହରେ ନିଜେ ନାଚି ଖେଳି ପାଠପଢ଼ା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଉଚ୍ଚତର ଶ୍ରେଣୀରେ ଇଂରାଜୀ ଓ ଓଡ଼ିଆ ଭାଷା ପଢ଼ାଇଲାବେଳେ ପିଲାଏ ବୁଝିପାରିବା ଭଳି ବିଷୟ ଭିତ୍ତିକ ଅଭିନୟ କରି ପିଲାଙ୍କ ମନ ଜିଣିପାରିଥିବା ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।
ତାଙ୍କ ଏହିଭଳି ଶିଶୁ ସୁଲଭ କାର୍ଯ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ମଧ୍ୟ ଅନୁପ୍ରାଣୀତ ହୋଇଥିବା ଏହି ବିଦ୍ୟାଳୟରେ କାର୍ଯ୍ୟରତ ତାଙ୍କ ସହକର୍ମୀ ମତ ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ସୁଦୃଢ ହୋଇଥିବା ଯୋଗୁଁ ଅଭିଭାବକ ମାନେ ଏହି ବିଦ୍ୟାଳୟରେ ଆବଶ୍ୟକ ପରିମାଣର ଶ୍ରେଣୀଗୃହ ନଥିବା ସତ୍ବେ ସେମାନଙ୍କ ପିଲାଙ୍କୁ ପଠାଇବାର ବହୁତ ଆଗ୍ରହ ଦେଖାଉଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଣାଇଛନ୍ତି ।
ଏହି ସ୍କୁଲରେ ପିଲାଙ୍କ ସଂଖ୍ୟା ୪୦୦ ଥିବା ବେଳେ ବିଦ୍ୟାଳୟରେ ପାଚେରୀ ନଥିବା ଓ ଅଧିକାଂଶ ଶ୍ରେଣୀଗୃହ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ତୁରନ୍ତ ବିଶେଷ ଦୃଷ୍ଟି ଦେବା ପାଇଁ ପ୍ରଧାନଶିକ୍ଷକ ଦାବି ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ