କୋରାପୁଟ: ଜମି ଅଧିଗ୍ରହଣର ୧୬ ବର୍ଷ ପରେ ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଧରଡା ଠାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି, ଆଦିତ୍ୟ ଆଲୁମିନିଅମ ରିଫାଇନେରୀ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀରେ ସ୍ଥାନୀୟ ଲୋକେ କଂସାରୀଗୁଡା ଠାରେ ପ୍ଲାଣ୍ଟ ପ୍ରତିଷ୍ଠା ସପକ୍ଷରେ ମତାମତ ରଖିଛନ୍ତି ।
କମ୍ପାନୀ ଦ୍ୱାରା ବାର୍ଷିକ ୩ ମିଲିୟନ ଏମଟିପିଏ କ୍ଷମତା ବିଶିଷ୍ଟ ଆଲୁମିନା ପ୍ଲାଣ୍ଟ ଓ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରକଳ୍ପର ମଞ୍ଜୁରୀ ନିମନ୍ତେ ଏହି ଜନଶୁଣାଣି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡ଼ା ଆନୁକୂଲ୍ୟରେ ପରିଚାଳନା କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
୧୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୫ ମସିହାରେ ଆଦିତ୍ୟ ବିର୍ଲା କମ୍ପାନୀ ଦୁଇଟି ଜିଲ୍ଲା (ରାୟଗଡା ଓ କୋରାପୁଟ)ର ସୀମାନ୍ତ ତିନୋଟି ପଞ୍ଚାୟତ କାଶୀପୁର ବ୍ଲକର ପୁଡ଼ାପାଡି ଓ ବାଙ୍କାମ୍ ଏବଂ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ୩୫ଟି ଗାଁ ସମେତ ୨୫୦୦ ଏକର ଜମି ଲୋକଙ୍କ ଠାରୁ ଅଧିଗ୍ରହଣ କରିଥିଲା। କମ୍ପାନୀ ସେତେବେଳେ ବର୍ଷେ ଦୁଇ ବର୍ଷ ମଧ୍ୟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଓ ଅଞ୍ଚଳର ଉନ୍ନତି ସହିତ ବେକରୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିଲା । ବର୍ତ୍ତମାନ ପ୍ଲାଣ୍ଟ ପ୍ରତିଷ୍ଠା ପରେ ବିଶେଷ କରି ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ହିଣ୍ଡାଲକୋ ପ୍ରକାଶ କରିଛନ୍ତି । ଏହି ଜନଶୁଣାଣୀରେ ପ୍ରଭାବିତ ଗ୍ରାମ ଗୁଡିକର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ସମର୍ଥନ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ