କୋରାପୁଟ: ଗତ କିଛିଦିନ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଟର ସାଇକଲ ଚୋରି କରି ସେଗୁଡିକୁ ବନ୍ଧକ ରଖୁଥିବା ଚୋର ଗ୍ୟାଙ୍ଗର ପାଞ୍ଚଜଣଙ୍କୁ ଜୟପୁର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଚୋରମାନେ କୋରାପୁଟ ଜିଲ୍ଲାର ସଦର, ସୁନାବେଡା ଓ ଜୟପୁର ଅଞ୍ଚଳରେ ମଟରସାଇକଲ ଚୋରି କରିବା ପରେ କୋରାପୁଟ ନିକଟସ୍ଥ ପୋଡ଼ାଗଡ଼ ଠାରେ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେଗୁଡିକର ନକଲି କାଗଜପତ୍ର ପ୍ରସ୍ତୁତ କରୁଥିଲେ ।
ଏହି ସବୁ ନକଲି କାଗଜପତ୍ର ସହ ସେମାନେ ମଟର ସାଇକେଲ ଗୁଡିକୁ ବିଭିନ୍ନ ବ୍ୟକ୍ତିଙ୍କ ପାଖକୁ ଯାଇ ଅର୍ଥାଭାବ ଦର୍ଶାଇ ବନ୍ଧକ ଭାବେ ଦେଇ କିଛି ଅର୍ଥ ଆଣି ଆସୁଥିଲେ । କିନ୍ତୁ ଗାଡିକୁ ମୁକୁଳାଇବା ପାଇଁ ଚୋରମାନେ କେବେ ହେଲେ ପଇସା ଦେଇଥିବା ଲୋକଙ୍କ ପାଖକୁ ଯାଇନଥିବା ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ଵର ଗିଧି ଜଣାଇଛନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ 35 ରୁ ଊର୍ଦ୍ଧ୍ବ ମଟରସାଇକଲ ଚୋରି କରିଥିଲେ ବି ଏ ପର୍ଯ୍ୟନ୍ତ ପୋଲିସ 16 ଟି ବାଇକକୁ ଉଦ୍ଧାର କରିଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ