କୋରାପୁଟ: ଜୟପୁର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟର ଜଣେ ସୁନାମଧାନ୍ୟ ବିଜ୍ଞାନ ଶିକ୍ଷକ ଓମପ୍ରକାଶ ମିଶ୍ର 2018 ମସିହା ପାଇଁ ଜାତୀୟ ଆଇସିଟି(Information and Communication Technology) ଶିକ୍ଷକ ସମ୍ମାନ ପାଉଥିବା 25 ଜଣ ଶିକ୍ଷକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଇସିଟି ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଥିବା ତଥା ଏହି କ୍ଷେତ୍ରରେ ଗବେଷଣା କରୁଥିବା ସାରା ଭାରତ ବର୍ଷରୁ 204 ଜଣଙ୍କ କାର୍ଯ୍ୟକୁ ପରଖିବା ପରେ ଦିଲ୍ଲୀ ସ୍ଥିତ ଏନସିଇଆରଟି(NCERT) ଏହି 25 ଜଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଛି ।
2004 ମସିହାରୁ ଏହି ସମ୍ମାନ ପ୍ରଦାନ ଆରମ୍ଭ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ଓଡ଼ିଶାରୁ କେହି ଏହି ସମ୍ମାନ ପାଇନାହାନ୍ତି । ଏହା ପୂର୍ବରୁ 2008 ରେ ଓମ୍ ପ୍ରକାଶ ମିଶ୍ର ଜାତୀୟ ଉତ୍ତମ ଶିକ୍ଷକ ସମ୍ମାନ ପାଇ ସାରିଛନ୍ତି । ଓମ୍ ପ୍ରକାଶ ମିଶ୍ରଙ୍କ ବିଜ୍ଞାନ ପ୍ରତି ଥିବା ଶ୍ରଦ୍ଧା ଓ ଛାତ୍ରଛାତ୍ରୀଙ୍କ ପାଖରେ ଆଇସିଟି(ICT) ମାଧ୍ୟମରେ ଅତି ସହଜରେ କିପରି ବିଷୟଗତ ସୂଚନା ପହଞ୍ଚି ପାରିବ ସେ ସଂକ୍ରାନ୍ତରେ ବର୍ଷବର୍ଷ ଧରି ଚାଲିଥିବା ସାଧନାର ଫଳ ତାଙ୍କୁ ଏବେ ମିଳିଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ