କୋରାପୁଟ: ଆଜି ପ୍ରକୃତି ଦିବସ । ଲକଡାଉନ ପ୍ରଭାବରେ ମଣିଷ ଆଜି ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇଯାଇଥିଲେ ହେଁ କୋରାପୁଟର ପ୍ରକୃତି କିନ୍ତୁ ସୌନ୍ଦର୍ଯ୍ୟର ଓଢଣୀରେ ନିଜକୁ ଘୋଡାଇ ରଖିବାରେ ଅବହେଳା କରିନାହିଁ ।
ସବୁଜ ବନାନୀ, ସୁଉଚ୍ଚ ପାହାଡ଼ ପର୍ବତ, କଳ କଳ ନାଦରେ ବହିଯାଉଥିବା ନଦୀ ଝରଣା ସାଙ୍ଗକୁ ଭଳିକି ଭଳି ଫୁଲ ଫଳରେ ପ୍ରକୃତି କୋରାପୁଟକୁ ସଜାଇ ଦେଇଛି । କୋରୋନା ଲକଡାଉନ ସମୟରେ ମଣିଷର ହସ୍ତକ୍ଷେପ ନଥିବା ଯୋଗୁଁ ମୁକ୍ତ ଆକାଶରେ ଅଧିକ ମାତ୍ରାରେ କୋଇଲିର ରାବ ଶୁଭାଯାଉଛି । ସେହିପରି ପକ୍ଷୀ ସମୂହ ରାସ୍ତାର ଅତି ନିକଟରେ ଉଡିଯିବାର ସାହସ କରୁଛନ୍ତି । ସତେ ଯେମିତି କୋରୋନା ଉପରେ ବିଜୟ ହାସଲ କରିବା ପାଇଁ ମନୁଷ୍ୟର ପ୍ରୟାସକୁ କୋରାପୁଟର ପ୍ରକୃତି ନିଜର ଅପରୂପ ସୌନ୍ଦର୍ଯ୍ୟ ମାଧ୍ୟମରେ ଅଭିନନ୍ଦନ ଜଣାଉଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ