କୋରାପୁଟ: ମହୁ ସ୍ବାସ୍ଥ୍ୟ ପକ୍ଷେ ହିତକର । ସେ ପୁଣି ବଣୁଆ ମହୁମାଛି କଥା ଭାବିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ମହୁମାଛି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ମହୁମାଛି ସହ ବନ୍ଧୁତା ଓ ପରିବାର ସଦସ୍ୟ ହେବା କଥା କେବେ ଦେଖିବାକୁ ମିଳିନିଥିଲା । କୋରାପୁଟର ଏକ ପରିବାର ମହୁମାଛିକୁ ନିଜ ଘରର ସଦସ୍ୟ କରିଛନ୍ତି । ଯାହା ବନ୍ଧୁତ୍ବର ଏକ ଉଦାହରଣ ସୃଷ୍ଟି କରିଛି । ମହୁମାଛି ତାଙ୍କ ଘରେ ବସା ବାନ୍ଧିବାକୁ ପସନ୍ଦ କରିଥିବାକୁ ସେ ସୌଭାଗ୍ୟ ବୋଲି ଭାବନ୍ତି ପରିବାର ଲୋକ ।
ଜଣେ ପରିବେଶବିତ ତଥା ଆଦିବାସୀ ଜୀବନ ଧାରାର ଗବେଷକ ଭାବେ ପରିଚିତ ମିହିର ଜେନାଙ୍କ ପରିବାର ମହୁମାଛିକୁ ବୁଝିଛନ୍ତି । ସେମାନଙ୍କ କାର୍ଯ୍ୟ ପ୍ରଣାଳୀକୁ ନିକଟରୁ ପରଖିଛନ୍ତି ଓ ସେମାନଙ୍କ ସହ ବିନା ଭୟରେ ସାଥି ହୋଇ ବସବାସ କରିଛନ୍ତି । ମିହିର ଜେନାଙ୍କ କହିବା ଅନୁଯାୟୀ ଜୈବ ବିବିଧତାର ସଂରକ୍ଷଣରେ ମହୁମାଛିଙ୍କ ବହୁବିଧ ଯୋଗଦାନ ରହିଥିବା ଯୋଗୁଁ ସେମାନଙ୍କ ପ୍ରତି ତାଙ୍କର ଏକ ସମ୍ମାନ ରହିଛି । ତେଣୁ ଯେତେବେଳେ ମହୁମାଛି ତାଙ୍କ ଘରର ବାଲକୋନୀକୁ ସେମାନଙ୍କ ନୂତନ ଆବାସ ସ୍ଥଳୀ ଭାବେ ଚୟନ କରି ମହୁଫେଣା ତିଆରି କରିବାକୁ ଆରମ୍ଭ କଲେ ସେ ସେମାନଙ୍କୁ ଆଗ୍ରହର ସହ ସ୍ଵାଗତ କରିଥିଲେ । ଏହା ସହିତ ମହୁ ଓ ମହୁମାଛି ଘରେ ରହିଲେ ପରିବାରରେ ସମୃଦ୍ଧି ଆସିଥାଏ ବୋଲି ବିଶ୍ଵାସ ରହିବା ସହ ପୌରଣିକ ଉପାଖ୍ୟାନରେ ଶ୍ରୀକୃଷ୍ଣଙ୍କ ମାଧବ ବେଶରେ ମହୁମାଛିର ସ୍ଥାନ ପାଇବା ଓ ଶିବଙ୍କ ଏକ ରୂପରେ ତ୍ରିଶୂଳରେ ମହୁମାଛି ରହିଥିବା ଭଳି ବର୍ଣ୍ଣନା ସେମାନଙ୍କ ପ୍ରତି ଆହୁରି ଅଧିକ ସମ୍ମାନ ବୋଧ ଜାଗ୍ରତ କରିଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
ବଣୁଆ ମହୁମାଛିକୁ ମଧ୍ୟ ଯେ ପୋଷା ମନେଇ ହୁଏ, ତାହା କନ୍ଧ ଜନଜାତି ମଧ୍ୟ ଅନେକ ସମୟରେ ପ୍ରଦର୍ଶନ କରିଛନ୍ତି । ଘୁମସୁର ମେଳି ସମୟରେ କନ୍ଧମାନେ ବଣୁଆ ମହୁମାଛିକୁ ପୋଷା ମନେଇ ସେମାନଙ୍କୁ ଇଂରେଜଙ୍କ ବିରୁଦ୍ଧରେ ପ୍ରୟୋଗ କରିଥିବା ବର୍ଣ୍ଣନା ଥିବା ସେ ପ୍ରକାଶ କରିଛନ୍ତି । ମହୁମାଛିକୁ ଭଲ ଭାବେ ଅଧ୍ୟୟନ କରିପାରିଲେ ସେ ମଧ୍ୟ ତାର ପରିବେଶକୁ ଓ ତା ପାଖ ଆଖରେ ରହୁଥିବା ପ୍ରାଣୀ ଜଗତକୁ ତାର 170 ପ୍ରକାର ଇନ୍ଦ୍ରିୟ ମାଧ୍ୟମରେ ଭଲ ଭାବେ ଜାଣିବା ପାଇଁ ସୁଯୋଗ ପାଇଥାଏ । ମହୁମାଛି ସହିତ ପରସ୍ପରର ବୁଝାମଣା ବଳରେ ଆଜି ସେମାନଙ୍କ ସହ ଗୋଟିଏ ଘରେ ରହିବା ସମ୍ଭବ ହୋଇପାରିଥିବା ମିହିର ଜେନା ମତ ରଖିଛନ୍ତି ।
ମହୁମାଛିଙ୍କ ବସା ବାନ୍ଧିବା ଦେଖି ଭୟ ଲାଗିଥିଲେ ବି ବାପାଙ୍କ ଅନୁଧ୍ୟାନ ଓ ଅଭିଜ୍ଞତା ଉପରେ ପ୍ରବଳ ବିଶ୍ଵାସ ଥିବା ଫଳରେ ପରିବାରର ସମସ୍ତ ସଦସ୍ୟ ମଧ୍ୟ କିଛିଦିନ ମଧ୍ୟରେ ସହଜ ଭାବେ ସେମାନଙ୍କ ଉପସ୍ଥିତିକୁ ଗ୍ରହଣ କରିପାରିଥିବା କହିଛନ୍ତି ମିହିର ଜେନାଙ୍କ ଝିଅ ଆଦ୍ୟାଷା ଫାଲଗୁନି । ମହୁମାଛି ସେମାନଙ୍କ ସହ ରହିବା ସମୟରେ ସେମାନେ ତାକୁ ଘରର ଏକ ସଦସ୍ୟ ଭାବେ ସ୍ଥାନ ଦେଇଛନ୍ତି । ପ୍ରକୃତି ସହ ସେମାନଙ୍କ ଗୁରୁତ୍ବପୂର୍ଣ ଭୂମିକାକୁ ସମ୍ମାନ ଜଣାଇ ତାକୁ ସଦସ୍ୟ କରି ନେଇଛନ୍ତି ମିହିର ଜେନାଙ୍କ ପରିବାର । ପ୍ରକୃତି ସହ ବଞ୍ଚି ଶିଖିଲେ ପ୍ରକୃତି ମଧ୍ୟ ଆମ ସହିତ ବଞ୍ଚିପାରିବ ଯାହାକୁ ପ୍ରମାଣିତ ଏହି ପରିବାର ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ