କୋରାପୁଟ: ପାହାଡ଼ ଉପରୁ କେଉଁ ଆବାହମାନ କାଳରୁ ପାଣି ବୋହି ଯାଉଥିଲା । କିନ୍ତୁ ପ୍ରଖର ସ୍ରୋତରେ ବହି ଯାଉଥିବା ଝରଣାର ଜଳକୁ ବାନ୍ଧି ରଖି ଚାଷ ଉପଯୋଗୀ କରିବା ସହଜ ନଥିଲା । କୋରାପୁଟ ମୁନିସିପାଲିଟି ଅନ୍ତର୍ଗତ ପିଣ୍ଡିକି ମାଳିଗୁଡାର ଏହି ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ମିଳିନଥିଲା । ଏହି ଗ୍ରାମର ଗ୍ରାମବାସୀ ମୁକୁନ୍ଦ ନାୟକ ଅଭିଯୋଗ କରିଛନ୍ତି ।
ସମସ୍ତ ସରକାରୀ କାର୍ଯ୍ୟାଳୟରୁ ବିଫଳ ହେବା ପରେ ଗ୍ରାମବାସୀ ଏକାଠି ହୋଇ ନିଜ ମଧ୍ୟରେ ଚାନ୍ଦା କରି ପାହାଡ଼ର ପାଣିକୁ ପାଇପ ଯୋଗେ ଆଣିବା ପାଇଁ ନିଷ୍ପତ୍ତି ନେଲେ । ଗାଁରେ ଏକାଠି ହୋଇଥିବା ଅର୍ଥ ସହିତ ଆଉ କିଛି ଋଣ ଆକାରରେ ଆଣି ୧ ଲକ୍ଷ ୮୦ ହଜାର ବ୍ୟୟରେ ୩୬ ଟି ପାଇପ ଆଣିଲେ ଗ୍ରାମବାସୀ । ଗୋଟେ ପରେ ଆଉ ଗୋଟାଏ ପାଇପକୁ ଯୋଡି ପାହାଡ଼ ଉପରୁ ପାଣିକୁ କ୍ଷେତ ମଧ୍ୟକୁ ଆଣିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ । ଏହି ପାଣିରେ ସେମାନେ ବିଭିନ୍ନ ପ୍ରକାରର ଫଳ ପନିପରିବା ଚାଷ କରୁଛନ୍ତି ।
କୌଣସି ସରକାରୀ ଯୋଜନାର ସହଯୋଗ ପାଇ ନଥିବାର ଦୁଃଖ ଅନୁଭବ ହୋଇଥିଲେ ମଧ୍ଯ ଗାଁ ମୁଣ୍ଡରେ ଫୁଟିଥିବା ଫୁଲ ଏବଂ ବର୍ଷତମାମ ଫଳୁଥିବା ପନିପରିବା ଓ ଶସ୍ୟକୁ ଦେଖି ଗ୍ରାମବାସୀଙ୍କ ଆନନ୍ଦ ବୃଦ୍ଧିପାଇଛି ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ