କୋରାପୁଟ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲା ପ୍ରଶାସନ ଲୋକଙ୍କ ସ୍ବାସ୍ଥ୍ୟକୁ ଆଖିରେ ରଖି ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଦିନ ଜିଲ୍ଲା ବ୍ୟାପୀ ସଟଡାଉନ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ମଧ୍ୟ ଏହି ମାସ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ମଧୂସୁଦନ ମିଶ୍ର କହିଛନ୍ତି ।
ସଟଡାଉନ ହେଉଥିବା ସପ୍ତାହର ଏହି ଦୁଇଦିନ କେବଳ ଔଷଧ ଭଳି ଜରୁରୀକାଳୀନ ଦୋକାନ ଖୋଲାରହିବ । କୋଭିଡ19 ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ନିୟୋଜିତ ବ୍ୟକ୍ତି ଚଳପ୍ରଚଳ କରିପାରିବେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ବୁଧବାର ଜିଲ୍ଲାରେ ସର୍ବାଧିକ 18 ଟି କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଗୁରୁବାର ଦାମନଯୋଡିରେ ବିଶାଖାପାଟଣାରୁ ଆସି ନାଲକୋ ଟାଉନସିପ କଲୋନୀରେ ହୋମ କ୍ବାରେଣ୍ଟାଇନରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତି କୋରୋନା ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ତାଙ୍କୁ ଜୟପୁରସ୍ଥିତ କୋଭିଡ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ସେ ରହିଥିବା ଅଞ୍ଚଳକୁ ଆସନ୍ତା 48 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ସୂଚନାଥାଉକି ବର୍ତ୍ତମାନ କୋରାପୁଟ ଗ୍ରୀନ ଜୋନରେ ରହିଥିବାବେଳେ ଜିଲ୍ଲାରେ ମୋଟ 48 ଟି କୋରୋନା ପଜିଟିଭି ଚିହ୍ନଟ ହୋଇଥିଲା ବେଳେ 25 ଜଣ ସୁସ୍ଥ ଲାଭ କରି ଫେରିଥିବାବେଳେ 23 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସଂକ୍ରମଣର ପରିମାଣ ବୃଦ୍ଧି ପାଇନଥିଲେ ମଧ୍ୟ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣର ବୃଦ୍ଧି ଆଶଙ୍କା କରାଯାଉଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ।
କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ