କୋରାପୁଟ: ଜିଲ୍ଲା ସଦର ମହକୁମାରେ ଖୋଲିଲା ଦୁଇଟି ଜିଲ୍ଲା ସ୍ତରୀୟ କୋଭିଡ କଣ୍ଟ୍ରୋଲ ରୁମ । ଡିଆରଡିଏ କାର୍ଯ୍ୟାଳୟ ପରିସର ମଧ୍ୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ କୋଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ପ୍ରଶାସନିକ ବ୍ୟବସ୍ଥାକୁ ତଦାରଖ ଓ ନିୟନ୍ତ୍ରଣ କରାଯାଉଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷରୁ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟଗତ ଭଲ ମନ୍ଦ କଥା ବୁଝାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ପ୍ରଦାନ କରିଛନ୍ତି ।
ଏହି କେନ୍ଦ୍ରରେ ଚାରୋଟି ସ୍ଵତନ୍ତ୍ର ଟେଲିଫୋନ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନେ ଆବଶ୍ୟକ କରୁଥିବା ତଥ୍ୟ ପ୍ରଦାନ କରିବା ସହିତ ମାନସିକ ଭାବେ ସେମାନଙ୍କୁ କାଉନସିଲିଂ କରାଯାଉଛି । ଏତଦ୍ ବ୍ୟତୀତ ପ୍ରତି ବ୍ଲକ ଓ ସହରାଞ୍ଚଳରେ ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଥିବା ଡାକ୍ତର ବେଉରା ଜଣାଇଛନ୍ତି ।
ଜିଲ୍ଲାରେ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଘରେ ରହି ଚିକିତ୍ସା ହେଉଥିବା ଯୋଗୁଁ ଏହି ବ୍ୟବସ୍ଥା ଅତି ଉପାଦେୟ ହୋଇପାରୁଥିବା ସେ ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ