କୋରାପୁଟ: ଆଜି (ଗୁରୁବାର) କୋରାପୁଟ ସରକାରୀ କଲେଜ ପରିସରରେ ଆଚାର୍ଯ୍ୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଷୁବ ସାହିତ୍ୟ ସଭା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତି, ସାହିତ୍ୟ, ଭାଷା ଓ ଜୀବନର ଧାରାରେ ବିବର୍ତ୍ତନର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ସଂସ୍କୃତି ଗବେଷକ ଗୌରାଙ୍ଗ ଚରଣ ଦାଶ । ପ୍ରଫେସର ଦାଶଙ୍କ ଉପସ୍ଥିତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍ଥାନୀୟ କବି ଓ ଲେଖକଙ୍କୁ ଅନୁପ୍ରାଣୀତ କରିପାରିଛି ବୋଲି ଓଡ଼ିଆ ଅଧ୍ୟାପିକା ତଥା ଓଡ଼ିଶାର ଜଣେ ପ୍ରତିଷ୍ଠିତ କବି ପ୍ରିତିଧାରା ସାମଲ ଜଣାଇଛନ୍ତି ।
ସେହିପରି କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ସତ୍ତା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ବିଷୁବ ମିଳନରେ ମଧ୍ୟ ଜିଲ୍ଲାର ବହୁ କବି ଓ ଲେଖକ ଉପସ୍ଥିତ ରହି ଯୁଦ୍ଧ, ଶାନ୍ତି ଓ ସାହିତ୍ୟ ବିଷୟରେ ଚର୍ଚ୍ଚା କରିଥିଲେ । ଆଜି ହନୁମାନ ଜୟନ୍ତୀ ହୋଇଥିବା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା । ତେବେ ସେ ମନ୍ଦିର ହେଉ ବା ସଭାସ୍ଥଳ, ସବୁଠି ଦହି, ନଡ଼ିଆ, ଗୁଡ଼ ପ୍ରଭୃତି ମିଶାଇ ତିଆରି କରାଯାଇଥିବା ସୁସ୍ବାଦୁ ପଣା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଗ୍ରୀଷ୍ମ ପ୍ରବାହର ଉତ୍ତପ୍ତ ପରିବେଶ ମଧ୍ୟରେ ଦହି ପଣା ସମସ୍ତଙ୍କ ପାଇଁ ଏକ ଶୀତଳ ସୁନ୍ଦର ଓ ମଧୂର ନବବର୍ଷ ପାଇଁ ବାଟ ଖୋଲିଦେବ ବୋଲି ବିଶିଷ୍ଟ ସଂସ୍କୃତି ଗବେଷକ ଉମାକାନ୍ତ ଦାଶ ଆଶାପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ