ଭୁବନେଶ୍ବର: ସମ୍ବଲପୁରରେ ଶାନ୍ତି ଫେରୁଛି । ଏତିକି ବେଳେ ପୁଣିଥରେ ଅରାଜକତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ବିଜେପି । ବିଜେପି ଶାସିତ ରାଜ୍ୟରେ ସ୍ପର୍ଶକାତର ଘଟଣା ଘଟିଲେ କାହାକୁ ଯିବାକୁ ଅନୁମତି ଦିଆଯାଏନି । ଓଡ଼ିଶା ବେଳକୁ ଭିନ୍ନ ନୀତି ଆପଣାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା । ଓଡ଼ିଶାବାସୀଙ୍କୁ ଅରାଜକ କହି ବାରମ୍ଵାର ଅପମାନିତ କରୁଥିବା ବିଜେପି ଏବେ ପୁଣିଥରେ ସମ୍ବଲପୁରରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ବିଜୁ ଜନତା ଦଳ ପକ୍ଷରୁ ଏହି ଅଭିଯୋଗ ହୋଇଛି ।
ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି ଯେ, ସମ୍ବଲପୁରରେ ଏକ ସ୍ପର୍ଶକାତର ଘଟଣା ଘଟିଛି । ଧୀରେ ଧୀରେ ଶାନ୍ତି ଫେରିଆସୁଛି । ସେତିକିବେଳେ ବିଜେପି ନେତାମାନେ ସମ୍ବଲପୁରରେ ପଶି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ବିଜେପି ଶାସିତ ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ସ୍ପର୍ଶକାତର ଘଟଣା ଘଟିଲେ, ସରକାର କୌଣସି ରାଜନୈତିକ ଦଳର ପ୍ରତିନିଧି ଦଳକୁ ସେଠାକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଯେତେବେଳେ ଉତ୍ତରପ୍ରଦେଶର ହାଥରସ, ଲଖିମପୁର ଖେରିରେ ସ୍ପର୍ଶକାତର ଘଟଣା ଘଟିଥିଲା, ବିଜେପି ସରକାର ସେଠାକୁ କୌଣସି ଦଳର ଲୋକଙ୍କୁ ଛାଡ଼ି ନଥିଲା । ନିଜ ଶାସିତ ରାଜ୍ୟରେ ବିଜେପି ଗୋଟିଏ ନୀତି ଆପଣାଉଥିବାବେଳେ ଓଡ଼ିଶାର ବିଜେପି ନେତାମାନେ ଏଠି ନିଜ ପାଇଁ ଭିନ୍ନ ନୀତି ଆପଣାଉଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ କେବଳ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ସମ୍ବଲପୁର ଯାଇ ପୁନର୍ବାର ହିଂସାକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ସଞ୍ଜୟ ବାବୁ ଆହୁରି ମଧ୍ୟ କହିଛନ୍ତି ଯେ, ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି ହୀନ ଉଦ୍ୟମକୁ ଦେଖୁଛନ୍ତି । ସେମାନଙ୍କ ଅସଲ ଉଦ୍ଦେଶ୍ୟ ମଧ୍ୟ ବୁଝିଛନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାବାସୀ ବିଜେପିକୁ ଠିକଣା ଜବାବ ଦେବେ ।
ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ସମ୍ବଲପୁର ସହରରେ ଅଭାବନୀୟ ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ହେଲାଣି । ହନୁମାନ ଜୟନ୍ତୀ ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ସୂଚନା ଦିଆଯିବା ସତ୍ତ୍ୱେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦିଆଯାଇ ନଥିବା ପ୍ରଶାସନ ସ୍ୱୀକାର କରିଛି । ପୂର୍ବରୁ ରାମନବମୀ ଓ ହନୁମାନ ଜୟନ୍ତୀରେ ଶାନ୍ତିଭଙ୍ଗ ସମ୍ଭାବନା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶର ଅନ୍ୟ ରାଜ୍ୟ ସମେତ ଓଡିଶାକୁ ମଧ୍ୟ ସତର୍କ କରାଯାଇଥିଲା । ଘଟଣାସ୍ଥଳରେ ଗତବର୍ଷ ତୁଳନାରେ ବହୁତ କମ ସୁରକ୍ଷାକର୍ମୀ ନିୟୋଜିତ ଥିବା ସ୍ଥାନୀୟ ନାଗରିକମାନେ ଅଭିଯୋଗ କରିବା ସନ୍ଦେହ ତିଆରି କରୁଛି । ଅଶାନ୍ତ ସମ୍ବଲପୁର ପଛରେ ରାଜ୍ୟ ସରକାରଙ୍କର ଅପାରଗତା ମୁଖ୍ୟତଃ ଦାୟୀ । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ରାଜଧର୍ମ ପାଳନ କରିବା ପରିବର୍ତ୍ତେ ପକ୍ଷଭୁକ୍ତ ହେଉଥିବା ଭଳି ଅଭିଯୋଗ ଆସୁଛି ।
ଇଟିଭି ଭାରତ, ଭୁବନେଶ୍ବର