କୋରାପୁଟ: ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ । ଏ ଭଳି ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ଘଟିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଟକ ଥିଲେ ଅଭିଯୁକ୍ତ ।
ସୂଚନା ଅନୁଯାୟୀ ଶନିବାର ରାତି 8ଟାରେ ଜୟପୁର ସଦର ଥାନା ପୋଲିସ ରାଜସ୍ଥାନର ଗୋପାଳ ରାମ ନାମକ 45 ବର୍ଷୀୟ ବ୍ୟକ୍ତିଙ୍କୁ 8 କୁଇଣ୍ଟାଲ ଗଞ୍ଜାଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖିଥିଲା । ତେବେ ରାତିରେ ତାଙ୍କୁ ଘୋଡାଇ ହୋଇ ଶୋଇବା ପାଇଁ ଏକ କମ୍ବଳ ଦିଆଯାଇଥିଲା । ଅଭିଯୁକ୍ତ ଜଣକ ବିଳମ୍ବିତ ରାତିରେ ସେହି କମ୍ବଳକୁ ଚିରି ହାଜତ ମଧ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାପରେ ତୁରନ୍ତ ଫୋରେନସିକ ଟିମ ଥାନାକୁ ଯାଇ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜୟପୁର ଏସଡ଼ିପିଓ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ