କୋରାପୁଟ: ଜିଲ୍ଲାରେ ଚଳିତ ମାସ ଆରମ୍ଭରୁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲ୍ଲା ପ୍ରଶାସନ, ପୋଲିସ ଓ ସାଧାରଣ ଜନତା ସମ୍ମିଳିତ ଭାବେ ଏହି ସମସ୍ୟାକୁ ସାମନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରାଙ୍କ କହିବା ଅନୁଯାୟୀ ଗତ ମାସରେ କୋରାପୁଟର ବିଭିନ୍ନ ଅଞ୍ଚଳରେ 32 ଜଣ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଚଳିତ ମାସ ଗତ ପାଞ୍ଚ ଦିନ ମଧ୍ୟରେ ହିଁ 25 ଜଣ ସଂକ୍ରମିତ ହୋଇଥିବା ଯୋଗୁଁ ପ୍ରଶାସନର ଚିନ୍ତା ବଢାଇଦେଇଛି ।
ଏଥିସହିତ ଗତ ବର୍ଷ କୋଭିଡ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଜିଲ୍ଲାରେ ସମୁଦାୟ 2,86,544 ଜଣଙ୍କୁ କୋଭିଡ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 7952 ଜଣ ସଂକ୍ରମିତ ହୋଇଥିବା ସେ ଜଣାଇଛନ୍ତି । ଗତ ବର୍ଷ ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲ ସ୍ଥାପନା କରାଯାଇଥିବାବେଳେ କୋଭିଡର ପ୍ରକୋପ କମିଯିବା ପରେ ସେଗୁଡିକ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ କେବଳ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ପରିସର ମଧ୍ୟରେ ଏକ 35 ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ର ଚାଲିଥିବା ସେ ସୂଚନା ପ୍ରଦାନ କରିଛନ୍ତି । କୋଭିଡ ସଂକ୍ରମଣ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଜି ପ୍ରଥମ ଥର ପାଇଁ କୋଟିଆ ପଞ୍ଚାଯତର ନେରେଡିବାଲାସା , ଫାଟୁସିନେରୀ ଓ ଫଗୁଣସିନେରୀରେ ସମୁଦାୟ ଚାରି ଜଣ ବ୍ୟକ୍ତି କୋଭିଡ ଦ୍ଵାରା ସଂକ୍ରମିତ ହୋଇଥିବା ଡାକ୍ତର ବେଉରା ଜଣାଇଛନ୍ତି ।
ଅପରପକ୍ଷେ ଜିଲ୍ଲା ପ୍ରଶାସନ ଦ୍ଵାରା ଗତକାଲିଠାରୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ରାତ୍ରି 10 ଟା ଠାରୁ ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ଥିବା ଏହି କର୍ଫ୍ୟୁ ସମୟରେ ଜନସାଧାରଣ ଅତ୍ୟାବଶ୍ୟକ ସ୍ଥିତି ନଥିଲେ ବାହାରକୁ ଯେପରି ନ ବାହାରନ୍ତି ତାହା ଦେଖିବା ପାଇଁ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିଥିବା କୋରାପୁଟ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଜଣାଇଛନ୍ତି । ଗତକାଲି କର୍ଫ୍ୟୁ ଲାଗିବାର ପ୍ରଥମ ରାତିରେ ଜନସାଧାରଣଙ୍କ ଠାରୁ ସହଯୋଗ ମିଳିଥିବା ସେ ଜଣାଇଛନ୍ତି ।
କେହି ପ୍ରଶାସନର ନିର୍ଦ୍ଦେଶକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦୋହରାଇଛନ୍ତି । ତେବେ ଦୋକାନ ବଜାରକୁ ଠିକ୍ ସମୟରେ ବନ୍ଦ ରଖିବା ଏବଂ ଉଭୟ ଗ୍ରାହକ ଓ ଦୋକାନୀ ମାସ୍କ ପିନ୍ଧିବା ସହିତ ପରସ୍ପର ମଧ୍ୟରେ ଭୌତିକ ଦୂରତାକୁ ପାଳନ କରିବା ପାଇଁ ସମସ୍ତ ପଦକ୍ଷେପ ନେବା ଦିଗରେ ତତ୍ପରତା ପ୍ରକାଶ କରାଯାଇଛି ବୋଲି କୋରାପୁଟ ଚାମ୍ବର ଅଫ କମର୍ସର ସମ୍ପାଦକ ରମେଶ କୁମାର ଜଣାଇଛନ୍ତି । ସାମୁହିକ ଭାବେ କୋଭିଡ ବିରୁଦ୍ଧରେ ଆରମ୍ଭ ହୋଇଥିବା ଏହି ନୂତନ ସଂଗ୍ରାମରେ ପୁଣିଥରେ ବିଜୟ ହାସଲ କରିହେବ ବୋଲି ପ୍ରଶାସନ ଓ ସାଧାରଣ ଜନତା ଆଶା ବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ