ଖୋର୍ଦ୍ଧା: ଯୁବଶକ୍ତି ଆମ ସମାଜର ମେରୁଦଣ୍ଡ । ତେଣୁ ଛାତ୍ର ଓ ଯୁବ ସମାଜକୁ ନିଶା ପ୍ରଭାବରୁ ଦୂରେଇ ରଖି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ ।
ବୁଧବାର ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ କାରବାର ବିରୋଧ ଦିବସ ଅବସରରେ ଏଭଳି ବାର୍ତ୍ତା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ।
ଏହା ସହ ସେ କହିଛନ୍ତି, ନିଶା ମଣିଷର ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ସହିତ ପାରିବାରିକ ହିଂସାକୁ ଜନ୍ମ ଦେଇଥାଏ । ତେଣୁ ଯୁବପୀଢିଙ୍କୁ ନିଶା ପାଖରୁ ଦୂରାଇ ରଖିବା ସମସ୍ତଙ୍କର ଦାୟିତ୍ବ ବୋଲି ସେ କହିଛନ୍ତି ।
ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ନିଶା ନିବାରଣ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅବକାରୀ ଏସପି ଓ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ