ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ହତ୍ୟାକାଣ୍ଡ । ଚନ୍ଦକା ଥାନା ଏସଓଜି କ୍ୟାମ୍ପ ପଛପଟେ ଏକ ଫାର୍ମ ହାଉସରେ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଗାମୁଛାରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ମୃତକ ଜଣକ ଦୀପକ କୁମାର ସ୍ବାଇଁ ବୋଲି ଜଣାପଡିଛି । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ । ଦୀପକଙ୍କ ସହଯୋଗୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ପୋଲିସ ସୂଚନା ମୁତାବକ, ଦୀପକ କୁମାର ସ୍ବାଇଁ ଜଣେ ଇଲେକ୍ଟ୍ରିସିଆନ । ଦୀପକ ଓ ତାଙ୍କ ବନ୍ଧୁ ରଙ୍ଗ ଦୁହେଁ ଚନ୍ଦକା ଥାନା ଏସଓଜି କ୍ୟାମ୍ପ ପଛପଟେ ଏକ ଫାର୍ମ ହାଉସରେ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି । ଦୁହେଁ ମଧ୍ୟ ସେହି ଫାର୍ମ ହାଉସରେ ଏକାଠି ରୁହନ୍ତି । ଉଭୟଙ୍କ ମଧ୍ୟରେ ମଙ୍ଗଳବାର କୌଣସି କାରଣ ନେଇ ଗଣ୍ଡଗୋଳ ହୋଇଥିଲା । ଯୁକ୍ତିତର୍କ ହେବା ସହ ହାତାହାତି ହୋଇଥିବା କିଛି ଲୋକ ଦେଖିଥିଲେ ।
ଲୋକମାନେ ମଧ୍ୟ ସେମାନଙ୍କୁ ଯାଇ ବୁଝାସୁଝା କରିଥିଲେ । ଏହାପରେ ଦୁହିଁଙ୍କ ରାଗ ଶାନ୍ତ ପଡ଼ିଥିଲା । କିନ୍ତୁ ହଠାତ ଦୀପକର ମୃତଦେହ ଦେଖି ଫାର୍ମ ହାଉସରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଦୀପକକୁ ହତ୍ୟା ସନ୍ଦେହରେ ରଙ୍ଗକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
ପ୍ରକାଶ ଥାଉକି, ନିକଟରେ ମାଂସ ଖାଇବାକୁ ନେଇ ରାଜଧାନୀରେ ବିଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଭୁବନେଶ୍ବର ମୈତ୍ରିବିହାର ସାଲିଆସାହି ଇଡକୋ ବସ୍ତିରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଗୋଟିଏ ରୁମରେ ତିନି ଜଣ ସାଙ୍ଗ ରହୁଥିଲେ । ସୁଶୀଲ ନାମକ ଜଣେ ବ୍ୟକ୍ତି ମାଂସ ଆଣି ରୁମରେ ରାନ୍ଧିଥିଲେ । ରୋଷେଇ କରି ସୁଶୀଲ କୌଣସି ଏକ କାମରେ ବାହାରକୁ ବାହାରକୁ ଯାଇଥିଲେ । ଘର ଭିତରେ ସୋନୁ ଓ ରୁଇ ଚାନ୍ଦ ବସି ମଦ ପିଉଥିଲେ ।
ସେହି ସମୟରେ ସୁଶୀଲ ରୋଷେଇ କରିଥିବା ମାଂସ ଖାଇ ଦେଇଥିଲେ । କିଛି ସମୟ ପରେ ସୁଶୀଲ ଘରକୁ ଆସି ଦେଖିଲା ବେଳକୁ ସବୁ ମାଂସ ସୋନୁ ଓ ରୁଇ ଖାଇ ଦେଇଛନ୍ତି । ଏହାକୁ ନେଇ ସୁଶୀଲଙ୍କର ସୋନୁ ଓ ରୁଇ ସହ ଗଣ୍ଡଗୋଳ ହୋଇଥିଲା । ପରେ ସୁଶୀଲ କିଛି ନଖାଇ ଉପବାସରେ ଶୋଇପଡ଼ିଥିଲେ । ପୁଣିଥରେ ସେହି ମାଂସ ଖାଇଦେବା କଥାକୁ ନେଇ ସୁଶୀଲ ସହ ସୋନୁ ଓ ରୁଇ ପୁଣିଥରେ ଝଗଡ଼ା କରିଥିଲେ । ପରେ ସୁଶୀଲକୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର