ଖୋର୍ଦ୍ଧା: ଯୁବକଙ୍କୁ ପଥରରେ ପିଟିପିଟି ହତ୍ୟା ଘଟଣା । ଏନେଇ ଗ୍ରାମରେ ଲାଗି ରହିଛି ଉତ୍ତେଜନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ନେତୃତ୍ବରେ ବିଭିନ୍ନ ଥାନାର ଥାନା ଅଧିକାରୀଙ୍କ ସହ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା । ମୃତକଙ୍କ ପରିବାର ସହ ଗ୍ରାମବାସୀ କିଛି ଗାଡି ଭଙ୍ଗାରୁଜା କରିବାଥିବା ବେଳେ ଗୋଟିଏ ଟାଟା ଏସି ଓ ଗୋଟିଏ କାରକୁ ପୋଡି ଏକ ପିକଅପକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଏନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ବାଡିରେ ଥିବା ପାଳଗଦାରେ ନିଆଁ ଲଗାଇ ଦେଇଥିବା ସହ ଏକ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।
ସେପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଲୋକଙ୍କୁ ଗିରଫ ଦାବିରେ ବେଗୁନିଆ ଥାନା ସାମ୍ନାରେ ମୃତଦେହ ରଖି ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ପରିବାର ଲୋକେ । ଦୀର୍ଘ 3 ଘଣ୍ଟା ଧରି ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରିବା ଦ୍ୱାରା ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ଉପଜିଲ୍ଲାପାଳ, ଏସଡିପିଓ, ବିଡ଼ିଓ,ତହସିଲଦାର ଓ ବିଭିନ୍ନ ଥାନାର ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇ ନିରାଶ ହେବା ପରେ 15 ଦିନ ଭିତରେ ସମସ୍ତ ହତ୍ୟାକାରୀଙ୍କୁ ଗିରଫ କରାଯିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ପରିବାରକୁ ମୃତଦେହ ସତ୍କାର ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ 20 ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା । ସେହିପରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି 2 ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ମଙ୍ଗଳବାର ସନ୍ଧ୍ୟାରେ ହରି ବଳିଆରସିଂଙ୍କ ପୁଅ ପ୍ରଦୀପ ନିଜ ବାଇକ ଯୋଗେ ଶୌଚ ପାଇଁ ଯାଉଥିବା ବେଳେ ପୂର୍ବ ପ୍ରସ୍ତୁତିରେ ଥିବା ଏକାଧିକ ମହିଳା ଓ ପୁରୁଷ ତାଙ୍କୁ ଟେକି ନେଇ ନିକଟ ଜଙ୍ଗଲରେ ନିର୍ଧୁମ ପିଟିବା ସହ ପଥରରେ ଶରୀରର ବିଭିନ୍ନ ସ୍ଥାନକୁ ଛେଚି ଦେଇ ତାଙ୍କୁ ମୁର୍ମୂଷ ଅବସ୍ଥାରେ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପ୍ରଦୀପଙ୍କୁ କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ପରେ ପ୍ରଦୀପଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମୃତ ଘୋଷଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା