ଖୋର୍ଦ୍ଧା: ବେଗୁନିଆ କରଡ଼ଗାଡ଼ିଆ ଗ୍ରାମରେ ଅଭାବନୀୟ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଓପିଟିସିଏଲ ଗ୍ରୀଡ଼(OPTCL Grid) ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଓପିଟିସିଏଲ ଗ୍ରୀଡ଼ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଲେ ପରିବାର ଲୋକେ ଏବଂ ଗ୍ରାମବାସୀ । ମୃତକ ଜଣଙ୍କ ହେଉଛନ୍ତି ବିକ୍ରମସିଂହ ମହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କରଡ଼ଗାଡିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ବିକ୍ରମସିଂହ ମହାନ୍ତି ସ୍ଥାନୀୟ ଓପିଟିସିଏଲ ଗ୍ରୀଡ଼ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ନିକଟସ୍ଥ କାଇପଦର-ଦେଉଳଟାଙ୍ଗି ଠାରେ ବାରମ୍ବାର ବିଦ୍ୟୁତ ଫଲ୍ଟ ହେଉଥିବା ଜଣାପଡିଥିଲା । ଫଳରେ ଶନିବାର କନିଷ୍ଠଯନ୍ତ୍ରୀ ଓ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ ବିକ୍ରମ । ବାଉଁଶଗଛ କାଟିବା ପରେ ଗଛ ଟାଣିବାକୁ ଡ୍ରାଇଭର ବିକ୍ରମକୁ ଡାକିଥିଲେ । ତେବେ ଗଛ ଟାଣୁଥିବା ସମୟରେ ୩୩କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଡ୍ରାଇଭର ବିକ୍ରମ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚକିତ୍ସା କରିଥିବା ଡାକ୍ତର ବିକ୍ରମଙ୍କୁ କିଛି ସମୟ ପରେ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ପୁରୀ-ହାଓ୍ୱଡା ଏକ୍ସପ୍ରେସ ଲାଇନଚ୍ୟୁତ, ମାଳତୀପାଟପୁର ଷ୍ଟେସନ ନିକଟରେ ଅଘଟଣ
ଏନେଇ ଖବର ପାଇ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ବିଜେଡି ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ ମେଡ଼ିକାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲେ । ସେପଟେ ବିକ୍ରମଙ୍କ ଭାଇ ଜଗତ ସିଂହ ମହାନ୍ତି ଖୋର୍ଦ୍ଧା ସଦର ଥାନାରେ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଖାମଖିଆଲ କାର୍ଯ୍ୟ ପାଇଁ ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଥିଲେ । ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ଚିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ୫୦ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ଚାକିରି ଦେବା ଦାବିରେ ଓପିଟିସିଏଲ ଗ୍ରୀଡ଼ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ବିଭାଗର କୌଣସି ଅଧିକାରୀ ଆନ୍ଦୋଳନ କାରୀଙ୍କ ନିକଟରେ ପହଞ୍ଚି ନଥିବାରୁ ଘଟଣାଲସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ଖୋର୍ଦ୍ଧା