ଖୋର୍ଦ୍ଧା: ସୂର୍ଯ୍ୟଙ୍କ ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଡ଼ା ଟାଙ୍ଗିସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପାନୀୟ ଜଳ ନ ପାଇ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ସୂଚନା ଅନୁଯାୟୀ, ଗୋଡ଼ା ଟାଙ୍ଗିସାହିରେ ପ୍ରାୟ 25ଟି ପରିବାର ବସବାସ କରନ୍ତି । କିନ୍ତୁ ପାଇପ ଯୋଗେ ଆସୁଥିବା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଏଠାରେ ଠପ ହୋଇ ଯାଇଛି । ଲୋକଙ୍କ ପାଇଁ ଭରସା ଏକମାତ୍ର ନଳକୂପ । ପୁଣି ସେଥିରେ ଲୁହାଗୁଣ୍ଡ ମିଶା ଗୋଳିଆ ପାଣି ବାହାରୁଛି । ଫଳରେ ନଳକୂପର ପାଣି ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।
ଏନେଇ ଲୋକମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳୁନାହିଁ । ତେଣୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଈଟିଭି ଭାରତ