ଭୁବନେଶ୍ବର: ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀରେ ଟନେଲ ଭୁଶୁଡିବା ଘଟଣା । ଟନେଲ ତଳେ ଫସି ରହିଥିବା 40ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାକୁ ଉଦ୍ଧାର କରାଯାଇ ନାହିଁ । ଉଦ୍ଧାର ପାଇଁ ଆହୁରି 24 ଘଣ୍ଟା ଲାଗିବ ବୋଲି ସୂଚନା ମିଳିଛି । ଟନେଲ ତଳେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ 5 ଜଣ ଓଡିଆ ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି ।
ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଫସି ରହିଥିବା ପ୍ରବାସୀ ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀରେ ଟନେଲ ଟ୍ରାଜେଡି, ପ୍ରତିକ୍ରିୟା ରଖିଲେ ଶ୍ରମ ମନ୍ତ୍ରୀ ସାରଦା ନାୟକ
ଟନେଲ ତଳେ ଫସି ରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଟନେଲ ଭିତରେ ଭୁସ୍ଖଳନ ହେବା ସହ ଭୀଷଣ ଗରମ ହେଉଥିବା ଓ ନିଶ୍ବାସ ନେବାରେ କଷ୍ଟକର ହେଉଛି । ରବିବାର ପୂର୍ବାହ୍ନରୁ ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାହାକୁ ଉଦ୍ଧାର କରାଯିବା ସମ୍ଭବପର ହୋଇନି । ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆରଏଫ, ଆଇଟିବିପି ଓ ରାଜ୍ୟ ସରକାରଙ୍କ ଟିମ ମିଳିତ ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି ।
ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ । ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି ଯେ, ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଓଡିଆ ଶ୍ରମିକଙ୍କ ସମେତ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ମୁଁ ଫୋନରେ କଥା ହେଲି । ସୌଭାଗ୍ୟବଶତଃ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଜାରି ରଖିଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ କାମନା କରୁଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଫସି ରହିଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ସେ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ରହିଛନ୍ତି । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର