ଭୁବନେଶ୍ବର : ଆଜିର ନାରୀ ପୁରୁଷଙ୍କ ତୁଳନା ରେ କୌଣସି ଗୁଣରେ କମ୍ ନୁହଁନ୍ତି । ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆର୍ଥିକ ରୂପେ ରୋଜଗାରକ୍ଷମ ହେଉଛନ୍ତି ମହିଳା ମାନେ । ଏପରି ଏକ ଉଦାହରଣ ହେଉଛନ୍ତି ଭୁବନେଶ୍ବରର ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ । ସମ୍ପର୍କରେ ଉଭୟ ଯା ହୋଇଥିବା ବେଳେ ଆରମ୍ଭ କରିଛନ୍ତି ନିଜସ୍ବ ଚଳନ୍ତା ହୋଟେଲ । ରାଜଧାନୀର ରାଜ ରାସ୍ତା ରେ ଲୋକଙ୍କୁ ପରଷୁଛନ୍ତି ସ୍ବାସ୍ଥ୍ୟପଦ ଓ ସୁସ୍ବାଦୁ ଖାଦ୍ୟ । ଏହି ନିଆରା ପ୍ରୟାସ ର ନାଁ ରଖିଛନ୍ତି 'କାର୍ ଖାନା' । ଘରେ ରୋଷେଇ କରି କାର୍ ଜରିଆରେ ଉଭୟ ମହିଳା ମାତ୍ର ୭୦ ଟଙ୍କା ରେ ଭରପୁର ଟେଷ୍ଟି ଘରୋଇ ଖାଇବା ଯୋଗାଇବାକୁ ପ୍ରୟାସ କରିଛନ୍ତି । ଏଥି ପାଇଁ ଉଭୟଙ୍କୁ ମଧ୍ୟ ଶାଶୁଘର ତରଫରୁ ପୂର୍ଣ୍ଣ ସମର୍ଥନ ମିଳୁଛି ।
ତେବେ ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ନେହା ଓ ରଶ୍ମିତା ଭେଟି ଦେଇଛନ୍ତି ବିଭିନ୍ନ ସୁସ୍ବାଦୁ ପିଠା । ପିଠା ମହକରେ ମହକୁଛି ସ୍ମାର୍ଟସିଟି । ପାରମ୍ପରିକ ମକର ଚାଉଳ ସହିତ, ଆରିସା ପିଠା, ସୁଜି ପିଠା, କାକରା ପିଠା, ମକର ଲଡୁ ସହ ବିନା ପିଆଜ ରସୁ ରେ ଏକ ଦମ୍ ସାତ୍ତ୍ବିକ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ଏହି ଦୁଇ ମହିଳା । ତେବେ ସେମାନେ ଏହି ଅବସରରେ ମାଗଣା ରେ ଲୋକ ଙ୍କୁ ପୋଡ଼ ପିଠା ବାଣ୍ଟି ଥିଲେ । ଘର ଠାରୁ ଦୂରରେ ରହୁଥିବା ଲୋକ ଙ୍କ ପାଇଁ ପିଠା ପଣା ତଥା ମକର ଚାଉଳ ଖାଇବାକୁ ସୁଯୋଗ ଦେଇ ଥିଲା କାର୍ ଖାନା ।
ଏହା ମଧ୍ୟ ପଢନ୍ତୁ... SHG ମହିଳାଙ୍କୁ ରାଜ୍ୟପାଳଙ୍କ ପରାମର୍ଶ, 'ଭଲ ପ୍ୟାକେଜିଂ ଓ ମାର୍କେଟିଂ ଫୋକସ୍'
ପ୍ରଥମେ ନେହା କ୍ଲାଉଡ୍ କିଚେନ ଜରିଆରେ ନିଜର ବ୍ୟବସାୟ ଆରମ୍ଭ କରିଥିବା ବେଳେ ପରେ ଏଥିରେ ଯୋଗ ଦେଇ ଥିଲେ ରଶ୍ମିତା । ତେବେ ଘର ରୋଷେଇ ହାତ ରନ୍ଧା ଖାଦ୍ୟକୁ ଖାଦ୍ୟ ପ୍ରେମୀ ଙ୍କୁ ପରଷି ବେଶ ପ୍ରଶଂସା ସାଉଁଟିଛନ୍ତି ଏହି ଦୁଇ ଗୃହିଣୀ । ଲୋକଙ୍କ ମଧ୍ୟରେ ଏହାକୁ ନେଇ ବେଶ ଚାହିଦା ମଧ୍ୟ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ ରେ ମିଳୁଛି ଟେଷ୍ଟି ଟେଷ୍ଟି ଖାନା । ଘରେ କେବଳ ଗୃହିଣୀ ଭାବେ ନିଜକୁ ନ ବାନ୍ଧି ସେମାନେ ଖୋଲିଛନ୍ତି ନିଜର ସ୍ବାବଲମ୍ବୀତାର ବାଟ । ତେବେ ଘରେ ଖାଲି ରେ ନ ବସି ରାଜଧାନୀର ଏହି ଦୁଇ ଯା ଙ୍କ ଏହି କାର୍ ଖାନା ଷ୍ଟାର୍ଟଅପ୍ ମହିଳା ସଶକ୍ତୀକରଣ ର ଏକ ନିଛକ ଉଦାହରଣ ପାଲଟିଛି ।
ଇଟିଭି ଭାରତ, ଭୁବନେଶ୍ବର