ଭୁବନେଶ୍ବର: ରଜ ଆସିଲେ ସିନେମା ହଲରେ ଜମେ ସିନେପ୍ରେମୀଙ୍କ ଭିଡ। ନିଜ ପସନ୍ଦର ଷ୍ଟାରମାନଙ୍କୁ ପରଦାରେ ଦେଖିବା ପାଇଁ ଓଡ଼ିଆ ସିନେପ୍ରେମୀ ଚାହିଁ ବସିଥାନ୍ତି । ଉତ୍ସହର ସହ ରଜ ମଉଜରେ ଦର୍ଶକ ହଲ ମୁଁହା ହୋଇଥାନ୍ତି । ଏଥର ରଜରେ ଦର୍ଶକଙ୍କ ପାଇଁ ଦୁଇ ଦୁଇଟି ଓଡ଼ିଆ ସିନେମାର ରଜ ଭେଟି ଦିଆଯାଇଛି । ରଜ ଲଢ଼େଇରେ ଦୁଇ ସୁପରଷ୍ଟାରଙ୍କ ସିନେମା 'ଲଭ ଇନ୍ ଲଣ୍ଡନ' ବନାମ 'ଗୁଡ୍ଡୁ ଗ୍ୟାଙ୍ଗଷ୍ଟର' ପରଦାକୁ ଆସୁଛି । ମୁହାଁମୁହିଁ ହେବେ ସିଦ୍ଧାନ୍ତ ମହାପାତ୍ର ଓ ଅନୁଭବ ମହାନ୍ତି । ଦୁହେଁ ଓଲିଉଡର ସୁପରଷ୍ଟାର ହୋଇଥିଲେ ହେଁ କାହା ଫିଲ୍ମକୁ ଦର୍ଶକ ଅଧିକା ଭଲ ପାଇବା ଦେବେ, ସିନେମା ପରଦାକୁ ଆସିବ ପରେ ହିଁ ଜଣାପଡିବ ।
କେବଳ ଯେ ସୁପରଷ୍ଟାରଙ୍କ ମଧ୍ୟରେ ଫାଇଟ ହେବ ତାହା ନୁହେଁ ବରଂ ପ୍ରାୟ ପାଞ୍ଚ ବର୍ଷ ପରେ ପୁଣି ଓଲିଉଡର ଦୁଇ ଲୋକପ୍ରିୟ ନିର୍ଦ୍ଦେଶକ ମୁହାଁମୁହିଁ ହେବେ । ଏ ଦୁହେଁ ହେଲେ ଅଶୋକ ପତି ଓ ତାପସ ସରଘରିଆ । ଉଭୟ ଅଶୋକ ଓ ତାପସ ଓଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ଓ ବେଶ ସଫଳ ଅଟନ୍ତି । ସେ ଦୃଷ୍ଟିରୁ ଉଭୟଙ୍କ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଦୁଇଟି ଯାକ ଭିନ୍ନ ଧରଣର ସିନେମା ହୋଇଥିବା ବେଳେ ୧୩ ତାରିଖରେ ରିଲିଜ ହେବ । ଗୁଡୁ ଗ୍ୟାଙ୍ଗଷ୍ଟର୍ ଫିଲ୍ମରେ ସିଦ୍ଧାନ୍ତ, ନମ୍ରତା ଥାପା, ଶୈଳେନ୍ଦ୍ର, ଶିବାନୀ, ସୂର୍ଯ୍ୟମୟୀ କେକେ, ଏଲି ପାଢ଼ୀ ଓ ବବି ମିଶ୍ର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ପ୍ରମୁଖ ଅଛନ୍ତି । ପ୍ରୀତମ ସାହୁ ଏହାର ନିର୍ମାତା ହୋଇଥିବା ବେଳେ ଅସଦ ନିଜାମ ଏହାର ସଙ୍ଗୀତକାର ଅଟନ୍ତି । ଏହା ଏକ ଆକ୍ସନ ଭିତ୍ତିକ ଚଳଚ୍ଚିତ୍ର ଏବଂ ଗୀତ ଗୁଡିକ ମଧ୍ୟ ବେଶ ସୁନ୍ଦର ହୋଇଛି । ଏହାର ପ୍ରମୋସନ ରବିବାର ମାର୍କେଟ ବିଲ୍ଡିଂରେ ହୋଇଥିବା ବେଳେ ଦର୍ଶକଙ୍କ ବେଶ ଭଲପାଇବା ସାଉଁଟିଛି । ଏନେଇ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, " ଫିଲ୍ମଟି ବହୁତ ସୁନ୍ଦର ହୋଇଛି । ଦର୍ଶକଙ୍କ ମଧ୍ୟ ଏହା ଖୁବ ପସନ୍ଦ ଆସିବ । ଏହି ଫିଲ୍ମରୁ ଯାହା ଆୟ ହେବ, ସେଥିରୁ କିଛି ବାହାନଗା ରେଳ ଦୁର୍ଘଟଣାରେ ପୀଡ଼ିତ ପରିବାରକୁ ସହାୟତା ରାଶି ଭାବେ ପ୍ରଦାନ କରାଯିବ ।"
ଅନ୍ୟପଟେ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଲଭ ଇନ୍ ଲଣ୍ଡନ" ବି ରଜ ବଜାରରେ ପରଦାକୁ ଆସିବ । ଏଥିରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି । ଦୁହେଁ ନବାଗତା ହୋଇଥିବା ବେଳେ ଜଣେ ସ୍ୱପ୍ନା ପ୍ରିୟଦର୍ଶିନୀ ଓ ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ । ତାପସ ସରଘରିଆ ନିଜେ ଏହାର କାହାଣୀ ଲେଖିଛନ୍ତି, ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ବୈଦ୍ୟନାଥ ଦାଶ ଓ ଅସଦ୍ ନିଜାମ୍ ଏହାର ସଙ୍ଗୀତକାର ଅଟନ୍ତି । ‘ଲଭ ଇନ୍ ଲଣ୍ଡନ’ ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି । ଅଶୋକ ପତି ଓ ତାପସ ସରଘରିଆଙ୍କ ମଧ୍ୟରୁ କାହାର ଫିଲ୍ମକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି, ତାହା ରିଲିଜ୍ ପରେ ଜଣାପଡ଼ିବ ।
ଇଟିଭି ଭାରତ, ଭୁବନେଶ୍ବର