ଖୋର୍ଦ୍ଧା: ଦୀର୍ଘ ଦିନ ହେଲା ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ହୁ ହୁ ହୋଇ ବଢି ଚାଲିଥିଲା । କିନ୍ତୁ ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଞ୍ଚାୟତ ଗ୍ରାମରୁ ୧୨୫ ଲିଟର ଚୋରା ଦେଶୀ ମଦ ଗ୍ରାମବାସୀମାନେ ଜବତ କରିଛନ୍ତି ।
ସୂଚନାନୁସାରେ କରୋନା ମହାମାରୀ ପ୍ରଭାବରେ ବିଦେଶୀ ମଦ ଅଧିକ ମୂଲ୍ୟ ବୃଦ୍ଧି ଯୋଗୁ ଚୋରା ଦେଶୀ ମଦର ଚାହିଦା ଅଧିକ ରହିଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ମୋରମୋରୀ ଗ୍ରାମ୍ୟ କମିଟିର ସଦସ୍ୟମାନେ ଗାଁ ପାଖରେ ଥିବା ଜଙ୍ଗଲକୁ ଯାଇଥିଲେ । ସେଠାରେ ଦେଶୀ ମଦ ଚୋରରେ ବିକ୍ରି ହେଉଥିବା ଦେଖିଥିଲେ। ହଣ୍ଡା, ପ୍ଲାଷ୍ଟିକ ଡ୍ରମ, ଜାରକିନ ଏବଂ ୧୨୫ ଲିଟର ଦେଶୀ ମଦ ସହିତ ଉକ୍ତଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ଧରି ଅବକାରୀ ବିଭାଗକୁ ସୂଚନା ଦେଇଥିଲେ ।
ଅବକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀମାନେ ଅଟକ ରଖିଥିବା ଚୋରା ଦେଶୀ ମଦ ବେପାରୀ ପପୁ ଦାସ ଓ ମଙ୍ଗୁ ବେହେରାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ତେବେ ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ