ଖୋର୍ଦ୍ଧା: ବେଗୁନିଆ ବ୍ଲକ ସିକୋ ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ବେଗୁନିଆ ତହସିଲଦାର ସରକାରୀ ଜମି ଜବରଦଖଲ କରି ରହିଥିବା କିଛି ଗରିବ ଜନସାଧାରଣଙ୍କ ଘର ଭାଙ୍ଗି ଉଚ୍ଛେଦ ଆରମ୍ଭ କରିବାରୁ ସେମାନେ ବିରୋଧ କରିଥିଲେ । ଗ୍ରାମରେ ଅନେକ ଲୋକ ସରକାରୀ ଜମି ଜବରଦଖଲ କରିଥିବା ବେଳେ କିଛି ଆକ୍ରୋଶ ମୂଳକ ଭାବେ ଏହି ଗରିବ ଲୋକଙ୍କ ଘର ଭାଙ୍ଗିବାକୁ ନେଇ ବିରୋଧ ହୋଇଥିଲା ।
ସେପଟେ ତହସିଲଦାରଙ୍କ ନିର୍ଦ୍ଦେଶରେ ବେଆଇନ ଭାବେ ଜନସାଧାରଣଙ୍କ ଘର ଗୁଡିକୁ ଭାଙ୍ଗି ଗୁଣ୍ଡ କରିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟପଟରେ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପକୁ ବିରୋଧ କରି ଜଣେ ବୃଦ୍ଧ ଗଛରେ ଚଢି ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ ।
ତେବେ ଏସବୁ ବିରୋଧ ପରେ ବେଗୁନିଆ ତହସିଲଦାର ହଟହଟା ହୋଇ ଗ୍ରାମରୁ ଫେରିବାକୁ ପଡିଥିବା ବେଳେ ଗ୍ରାମବାସୀ କ୍ଷତିପୂରଣ ଏବଂ ନ୍ୟାୟ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ କ୍ଷତିଗ୍ରସ୍ତ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ତେବେ ଏନେଇ ସ୍ଥାନୀୟ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ