ଖୋର୍ଦ୍ଧା: ବାଣପୁର-ବାଲୁଗାଁ ବାଇପାସରେ ପୁଣି ଥରେ ମାତିଛନ୍ତି ଲୁଟେରା । ଏଠାରେ ଦୁର୍ବୃତ୍ତଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ଫ୍ଲିପକାର୍ଟ ଡେଲିଭରୀ ବୟର କାନ କାଟି ଲୁଟି ନେଇଛନ୍ତି ମୋବାଇଲ ଓ ଗାଡ଼ି ଚାବି । ଏହି ଘଟଣାରେ ଖବର ପାଇବା ମାତ୍ରେ ବାଣପୁର ପୋଲିସ ତୁରନ୍ତ ସକ୍ରିୟ ହୋଇ ସରନଇ ଓଭରବ୍ରିଜ ଉପରୁ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି ।
ଗତକାଲି(ଗୁରୁବାର) ରାତି ୧୨ ଘଟିକାରେ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ ଏକ ମିନି ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ । ହେଲେ ଆଜି(ଶୁକ୍ରବାର) ଅପରାହ୍ନ ୧୨ଟା ୧୫ ମିନିଟରେ ବ୍ରହ୍ମପୁରରୁ ୧୩ ଗୋଟି ଫେରସ୍ତ ପାର୍ସଲ ଧରି କଟକ ଫେରୁଥିବା ବେଳେ ବାଣପୁର ବାଇପାସ ମଠପାଟଣା ଛକଠାରେ ୨ ଜଣ ଯୁବକ ପ୍ରଦୀପଙ୍କୁ ଲିଫ୍ଟ ମାଗିଥିଲେ । ପ୍ରଦୀପ ଗାଡ଼ି ଅଟକାଇବାରୁ ହଠାତ ଆଉ ୩ ଜଣ ଯୁବକ ଏକାଠି ହୋଇ ସମୁଦାୟ ୫ ଜଣ ଯୁବକ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରଥିଲେ । ଏପରିକି ଛୁରାରେ ତାଙ୍କ କାନ କାଟିଦେବା ସହ ଛାତିରେ ଆକ୍ରମଣ କରି ତାଙ୍କ ଗାଡ଼ି ଚାବି ଓ ମୋବାଇଲ ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
ଦୁର୍ବୃତ୍ତମାନେ ପଳାଇବା ପରେ ସ୍ଥାନୀୟ କିଛି ଯୁବକ ପ୍ରଦୀପଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣା ସମ୍ପର୍କରେ ବାଲୁଗାଁ SDPO ଖବର ପାଇ ବାଣପୁର ପୋଲିସ ଓ ନାଭାଲ ଫାଣ୍ଡି ପୋଲିସକୁ ଘଟଣାସ୍ଥଳକୁ ପଠାଇଛନ୍ତି । ସମସ୍ତ ଘଟଣା ଜାଣିବା ପରେ ବାଣପୁର ପୋଲିସ ତୁରନ୍ତ ସକ୍ରିୟ ହୋଇ ସରନଇ ଓଭରବ୍ରିଜ ଉପରୁ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ