ଖୋର୍ଦ୍ଧା: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ମୋଟ ୨୪୮୦ ଜଣ ସ୍କାଉଟ୍ସ ଏବଂ ଗାଇଡ୍ସ ଏହି ଜାମ୍ବୋରେଟରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି ।
ଉଦଘାଟନୀ ସମାରୋହରେ ଉଦଘାଟକ ଭାବେ ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ସଭାପତି ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶାନ୍ତର ପ୍ରତୀକ ବିଭିନ୍ନ ପ୍ରକାର ବେଲୁନ ଆକାଶକୁ ଛାଡି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ୟକ୍ଷା ତଥା ଉପସଭାପତି, ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ ଡଃ. ମିନତୀ ବେହେରା ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ ।
ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ଵାଗତ କରିବାକୁ ଯାଇ ଜାମ୍ବୋରେଟର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ତେବେ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରେଟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ କରିବା ଏବଂ ସମାଜରେ ଭାଇଚାରାର ପ୍ରତିଷ୍ଠା ଦିଗରେ ସହାୟ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ । ଏହି ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରେଟ ପ୍ରତି ତିନି ବର୍ଷକୁ ଥରେ ଆୟୋଜନ କରାଯାଇଥାଏ । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ନିଜର ଶାରିରୀକ, ମାନସିକ ଦକ୍ଷତାର ବିକାଶ କରିଥାନ୍ତି ।
ଏହା ମଧ୍ୟ ପଢନ୍ତୁ... ସୋମବାର ବି ଖୋଲା ରହିବ ନନ୍ଦନକାନନ, ନୂଆବର୍ଷ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ
ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, "ଏହି ଜାମ୍ବୋରୋଟରେ ସାରା ରାଜ୍ୟର ପିଲାମାନେ ଯୋଗ ଦେଇଛନ୍ତି । ଯେଉଁ ଉଦ୍ଦେଶ୍ୟରେ ସ୍କାଉଟ୍ସ ଗାଇଟ୍ସ ଆରମ୍ଭ ହୋଇଥିଲା । ପିଲାମାନଙ୍କ ଭିତରେ ସଂଘତି, ଶାନ୍ତି, ଭାଇଚାରା ପ୍ରତିଷ୍ଠା ହେବ । ସେବା ମନୋଭାବ ଜାଗ୍ରତ ହେବ । ବିଶେଷ ଭାବେ ଏହି କ୍ୟାମ୍ପରୁ ଛାତ୍ରଛାତ୍ରୀ ବହୁତ କିଛି ଶିଖିବେ ଏବଂ ଉପକୃତ ହେବେ । ପିଲାମାନଙ୍କୁ ନେଇ ଆମେ ଭବିଷ୍ୟତକୁ ଦେଖୁଛୁ । " ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ୟାକ୍ଷା ଡଃ. ମିନତୀ ବେହେରା ପ୍ରମୁଖ ଉକ୍ତ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା