ଭୁବନେଶ୍ବର: ରବିବାର ବସିବ ବିଜେପିର ଗୁରୁତ୍ବପୂର୍ଣ୍ଣ କୋର କମିଟି ବୈଠକ । କୋର କମିଟି ବୈଠକ ଯୋଗ ଦେଇପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ବୈଠକରେ ରୋଡ୍ ମ୍ୟାପ ପ୍ରସ୍ତୁତ ନେଇ ଆଲୋଚନା ହେବ । ଏହାସହ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ପହଞ୍ଚିବ, ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କେମିତି ସଫଳ ହେବ, ପଞ୍ଚାୟତସ୍ତରରେ ସଫଳତାର ସହ ଚାଲିଥିବା ଆନ୍ଦୋଳନ ଗୁଡ଼ିକର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା ।
ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, "୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଏବଂ ବିଶ୍ଵକର୍ମା ଜୟନ୍ତୀ । ତେଣୁ ସେହି ଅବସରରେ ବିଶ୍ଵକର୍ମା ଯୋଜନା ଆରମ୍ଭ ହେବାକୁ ଯାଉଛି । ସେବା ପଖୱାଡା ଆରମ୍ଭ ହେବ । କାର୍ଯ୍ୟକର୍ତ୍ତାମାନେ ମୋଦି ସରକାରର ସେବା, ସୁଶାସନ, ଦେଶ ସୁରକ୍ଷା କିଭଳି ଦୃଢୀଭୂତ ହୋଇଛି, ଭାରତ ସମଗ୍ର ବିଶ୍ଵରେ ସମ୍ମାନିତ ହୋଇଛି, ଚନ୍ଦ୍ରଯାନର ସଫଳତା, ସୂର୍ଯ୍ୟଯାନ ଉତ୍କ୍ଷେପଣ ଆଦି ବିଷୟରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ଫାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବସନ୍ତ ପଣ୍ଡା । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିର୍ବାଚନ ପ୍ରଚାର ପାଇଁ ବୁଲୁଛନ୍ତି । ଓଡ଼ିଶାରେ ଜନ ପ୍ରତିନିଧି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଲୋକଙ୍କ ଦ୍ବାରା ନିର୍ବାଚିତ ଲୋକ ପ୍ରତିନିଧି ପ୍ରତ୍ୟାକ୍ଷିତ ଏବଂ ଅପମାନିତ ହେଉଛନ୍ତି । ଆଉ ସଚିବ ମାନେ ସବୁ ଅଧିକାରକୁ ବ୍ୟବହାର କରିବାର ସୁଯୋଗ ପାଉଛନ୍ତି । ଯାହାକି ବିଡ଼ମ୍ବନା ଏବଂ ପରିତାପର ବିଷୟ । ଏହାଦ୍ବାରା ଲୋକଙ୍କ ମନରେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ଯଦି କୌଣସି ରାଜନୈତିକ ଉଦ୍ଦେଶ୍ୟ ବିନା ହେଇଥାନ୍ତା ତେବେ ବିଜେପି ସ୍ବାଗତ କରନ୍ତା । କିନ୍ତୁ ଏସବୁ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ଜଣେ ସଚିବ ଯିଏ କି ଭାରତ ସରକାରଙ୍କ ଠାରୁ ଦରମା ପାଉଥିବା ଜଣେ ସରକାରୀ ଅଧିକାରୀ, ସିଏ ମାଲିକ ହୋଇ ସାରା ରାଜ୍ୟରେ ବୁଲୁଛନ୍ତି । ଆଉ ଯିଏ ମାଲିକ, ସିଏ କାଠ ପୁତ୍ତୁଳି ଭଳି ନାଚୁଛନ୍ତି । ଯାହାକି ଲୋକତନ୍ତ୍ର ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ।"
ସେ ଆହୁରି କହିଛନ୍ତି, "ନବୀନ ପଟ୍ଟନାୟକଙ୍କ ଶାସନକୁ ୨୪ ବର୍ଷ ହେବାକୁ ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଏବଂ ଜିଲ୍ଲାସ୍ତରରେ ଯାହା କରିନାହାନ୍ତି, ଜିଲ୍ଲାପାଳ ଏବଂ ବିଡିଓଙ୍କ ସମେତ ସବୁ ଅଧିକାରୀ ମଧ୍ୟ ଅଭିଯୋଗ ଶୁଣାଣି କରି ଦରଖାସ୍ତ ନେଲେ । କିନ୍ତୁ ୨୪ ବର୍ଷରେ କିଛି କରିପାରିଲେ ନାହିଁ । ଏବେ ଜଣେ ସଚିବ ରାଜ୍ୟ ସାରା ବୁଲି ସବୁ କାମ କରିଦେଇ ପାରୁଛନ୍ତି । ବୋଧହୁଏ ଆଗାମୀ ଦିନରେ ବିଶ୍ଵକର୍ମା ଜୟନ୍ତୀରେ ଓଡ଼ିଶାର କରିତକର୍ମା, ବିଶ୍ଵକର୍ମା ରୂପେ ଗଣତନ୍ତ୍ର ତରଫରୁ ଗଣତନ୍ତ୍ରକୁ କବର ଦେଉଥିବା ପୁରସ୍କାର ଦେବାର ଆବଶ୍ୟକତା ଅଛି ବୋଲି ଲାଗୁଛି ।"
ଇଟିଭି ଭାରତ, ଭୁବନେଶ୍ବର