ଭୁବନେଶ୍ବର: ଆରମ୍ଭ ହେଲା ‘'ସ୍ପେସ୍ ଅନ ହ୍ୱିଲ୍’ କାର୍ଯ୍ୟକ୍ରମ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଅୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମ । ଇସ୍ରୋ ତଥା ବିଜ୍ଞାନ ସମ୍ବନ୍ଧରେ ପିଲାମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମ ମୂଖ୍ୟ ଉଦ୍ଦେଶ୍ୟ । ଆସନ୍ତାକାଲିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମକୁ ଡିଜିଟାଲ ବ୍ଲାକ୍ବୋର୍ଡ ମାଧ୍ୟମରେ ପ୍ରାୟ ୪୦ ହଜାର ବିଦ୍ୟାଳୟରେ ୪ ଲକ୍ଷ ପିଲାଙ୍କ ପାଖରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବାର ଲକ୍ଷ୍ୟ ରହିଛି ।
ଏହି ପ୍ରଦର୍ଶନୀରେ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ସାମିଲ ହେବେ କାର୍ଯ୍ୟକ୍ରମ ରହିଛି । ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସାରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି ଏହି କାର୍ଯ୍ୟକ୍ରମ ।
ଏହି ପ୍ରଦର୍ଶନୀ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହେଉଛି । ଏହି ପ୍ରଦର୍ଶନୀ ଫେବୃଆରୀ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଦର୍ଶନୀ ସକାଳ ୯ ରୁ ଅପରାହ୍ନ ୫ଟା ଓ ୧୪ ତାରିଖରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ । ଏହାସହ ୧୨ ଓ ୧୩ ତାରିଖ ଅପରାହ୍ନ ୪ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀକୁ ସାଧାରଣ ଦର୍ଶକମାନେ ମଧ୍ୟ ଦେଖିପାରିବେ ।
ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ କରାଯିବ । ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ । ମହାକାଶ ଗବେଷଣାର ଇତିହାସ, ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ ।
ଏହାର ଉଦଘାଟନ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଇସ୍ରୋର ବିଭିନ୍ନ ବୈଜ୍ଞାନ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ଜନସାଧାରଣ ମାନଂକ ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର