ଭୁବନେଶ୍ବର: ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡି । ଜୟଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମୟୀ କହିଛନ୍ତି ଯେ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ହତ୍ୟା ଅଭିଯୁକ୍ତ । ବିଜେଡିର ଜନୈକ କର୍ମୀଙ୍କ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ହୋଇ ଜେଲ୍ ଯାଇଥିଲେ । ଜେଲରେ ଅନେକ ଦିନ କାଟିବା ପରେ ସେ ଜାମିନରେ ଆସିଛନ୍ତି । ବର୍ତ୍ତମାନ ଏକ ଦୁଃଖର ସମୟ ଚାଲିଛି । ଗୋଟେ ଅଘଟଣ ଘଟିଛି । ନବ ଦାସଙ୍କୁ ହତ୍ୟା ଆମ ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଜୟ ନାରାୟଣ ମିଶ୍ର ଜଣେ ହତ୍ୟା ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଚଳିତ କରିଛି । କ୍ରାଇମବ୍ରାଞ୍ଚ ତଦନ୍ତ ତାଙ୍କ ମନରେ ଭୟ ସୃଷ୍ଟି କରିଛି । ଯେଉଁଥି ପାଇଁ ସେ ବାଉଳେଇ ଚାଉଳେଇ ହେଉଛନ୍ତି । କଣ କହିବେ ଜୟ ବୁଝି ପାରୁନାହାନ୍ତି । ଗୁଡ଼ାଏ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ତେଣୁ ବିଜେଡି ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ଗୁରୁତ୍ୱର ଦେବା ପାଇଁ ଚାହୁଁନାହିଁ ବୋଲି ସେ କହିଛନ୍ତି ।
ତେବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ଯେ, ନବ ଦାସ ହତ୍ୟାକାଣ୍ଡର ପ୍ଲଟ ଆଗରୁ ତିଆରି ହୋଇଥିଲା । ଏଥିରେ ବହୁତ ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି ରହିଛି । ଏହା ପଛରେ ରହିଛି ବଡ଼ ଧରଣର ଷଡଯନ୍ତ୍ର । ମୁଖ୍ୟତଃ ରାଜନୈତିକ ଓ ବ୍ୟବସାୟିକ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି । ରାଜ୍ୟ ସରକାର ଲୋକ ଦେଖାଣିଆ ଭାବେ ଏହି ଘଟଣାରେ ଜଣେ ହାଇକୋର୍ଟ ଜଜ୍ଙ୍କ ତଦାରଖ ପାଇଁ ଚିଠି ଲେଖିଛନ୍ତି । ତେବେ ଏହି ଘଟଣାରେ ସିବିଆଇ ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ । ଏହାସହ ଅଭିଯୁକ୍ତଙ୍କୁ ମାନସିକ ରୋଗ ଡାକ୍ତର କିପରି ଅତି ସହଜରେ ଚିହ୍ନି ପକାଇଲେ ତାହା ମଧ୍ୟ ବଡ଼ ସନ୍ଦେହ ସୃଷ୍ଟି କରୁଛି । ଏହି ହତ୍ୟାକାଣ୍ଡକୁ ରଫା ଦଫା କରିବା ପାଇଁ ରାଜ୍ୟ ସରକାର ଆଈ ମା' କାହାଣୀ ଶୁଣାଉଛନ୍ତି ବୋଲି ଜୟ ଅଭିଯୋଗ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର