ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରାରେ ଆଜି ପର୍ଯ୍ୟନ୍ତ ଯେଉଁ ବିଶୃଙ୍ଖଳା ହୋଇଛି... ଅତୀତରେ କେବେ ହୋଇ ନଥିଲା । ଏହା ସମସ୍ତଙ୍କୁ ବ୍ୟଥିତ କରିଛି। ବ୍ୟସ୍ତ ବିବ୍ରତ ବି କରିଛି । ଠିକ ଭାବରେ ପ୍ରଭୁଙ୍କୁ ଦର୍ଶନ କରିପାରି ନଥିବାରୁ ଭକ୍ତମାନଙ୍କ ମନରେ ଘୋର ଆଘାତ ସୃଷ୍ଟି ହୋଇଛି । ରଥଯାତ୍ରା ନୀତିକାନ୍ତିରେ ବିଭ୍ରାଟକୁ ଏଭଳି ଆକ୍ରମଣ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର।
ବିଜୟ କହିଛନ୍ତି, ‘‘ଚଳିତ ବର୍ଷ ରଥଯାତ୍ରାରେ ଆଜି ପର୍ଯ୍ୟନ୍ତ ଯେଉଁ ବିଶୃଙ୍ଖଳା ହେଲା, ଅତୀତରେ କେବେ ହୋଇ ନଥିଲା । ଏହା ସମସ୍ତଙ୍କୁ ବ୍ୟଥିତ କରିଛି। ବ୍ୟସ୍ତ ବିବ୍ରତ ବି କରିଛି । ଠିକ ଭାବରେ ପ୍ରଭୁଙ୍କୁ ଦର୍ଶନ କରି ପାରି ନଥିବାରୁ ଭକ୍ତମାନଙ୍କ ମନରେ ଘୋର ଆଘାତ ସୃଷ୍ଟି ହୋଇଛି । ନୀତିକାନ୍ତିରେ ଚରମ ବିଭ୍ରାଟ ସୃଷ୍ଟି ହୋଇଛି । ଯଦି ବାହୁଡା ଓ ସୁନାବେଶରେ ଏ ବିଶୃଙ୍ଖଳା ଲାଗି ରୁହେ ପରିସ୍ଥିତି ଭୟଙ୍କର ଆଡକୁ ଯିବ ।’’
ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର, ଆଜି ଠାରୁ ଯଦି ସମସ୍ତେ ମିଳିମିଶି କାମ ନ କଲେ, ସରୁଖୁରୁରେ ବାହୁଡ଼ା ଯାତ୍ରା ଓ ସୁନାବେଶ ହେବା ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସୁନିଶ୍ଚିତ । ଏବର୍ଷ ରଥ ଉପରେ ଯେତିକି ଲୋକ ରହିଥିଲେ, ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ଯେଉଁଥି ପାଇଁ ରଥ ଟଣାରେ ବି ବିଭ୍ରାଟ ସୃଷ୍ଟି ହେଲା । ପ୍ରଥମ ଥର ପାଇଁ ଏବର୍ଷ ସେବାୟତଙ୍କୁ ଛାଡ଼ିକି ବାହାର ଲୋକ ବି ରଥ ଉପରେ ଚଢିଲେ । ଏକଥା କେବେ ଦେଖିନଥିଲି କି ଶୁଣି ନଥିଲି । ରଥଯାତ୍ରାରେ ରଥ ଉପରେ କେବଳ ରାଜା ଏବଂ ଶଙ୍କରାଚାର୍ଯ୍ୟ ରହିବା କଥା।
କେଉଁମାନେ ରଥ ଉପରେ ଥିଲେ, ସେମାନଙ୍କୁ ଚିହ୍ନଟ କରାଯିବା ଉଚିତ । ବାହାର ଭକ୍ତମାନେ କିଭଳି ରଥ ଉପରକୁ ଯିବାକୁ ସୁଯୋଗ ପାଇଲେ । ଗୁଣ୍ଡିଚା ମନ୍ଦିରରେ ହେରା ପଞ୍ଚମୀ କାର୍ଯ୍ୟକ୍ରମ ରାତି ୪ଟାରେ ହେଲା । ଅତୀତରେ ୫୦ ବର୍ଷରେ ଏତେ ବିଳମ୍ବ କେବେ ହୋଇନି । ଏବିଶୃଙ୍ଖଳା ସୀମା ଅତିକ୍ରମ କରିଛି । ରାଜ୍ୟ ସରକାରଙ୍କୁ ମୋର ନିବେଦନ, ଆଗମୀ ବାହୁଡ଼ା ଓ ସୁନାବେଶକୁ ସୁରୁଖୁରରେ କରାଇବା ଲାଗି ଛତିଶା ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବସି ଏବେଠୁ ମିଳିତ ଭାବେ କାମ କରନ୍ତୁ ଓ ଶୃଙ୍ଖଳିତ ଯାତ୍ରା ନେଇ ଭକ୍ତମାନଙ୍କୁ ଆଶ୍ବାସନା ଦିଅନ୍ତୁ ।
ଯେଉଁ ମାନେ ରଥଯାତ୍ରା ଦାୟିତ୍ଵରେ ଅଛନ୍ତି ସେମାନେ ରାଜ୍ୟବାସୀଙ୍କୁ ଆଶ୍ବସନା ଦିଅନ୍ତୁ ଯେ ବାହୁଡା ଯାତ୍ରା ଏବଂ ସୁନାବେଶ ନିର୍ଦ୍ଦିଷ୍ଟ ସମୟରେ ହେବ । ଶୃଙ୍ଖଳିତ ଭାବେ ହେବ। ଭକ୍ତ ପ୍ରଭୁଙ୍କର ଦର୍ଶନ ନିଶ୍ଚିତ ଭାବରେ ପାଇବେ। କାରଣ ରଥଯାତ୍ରାକୁ ସାରା ବିଶ୍ବରେ ଦେଖୁଛନ୍ତି। ବାହୁଡା ଯାତ୍ରା ଏବଂ ସୁନାବେଶରେ କୌଣସି ବ୍ୟାଘାତ ସୃଷ୍ଟି ନହେଉ ଏହା ପ୍ରଶାସନ ନିଶ୍ଚିତ କରୁ ।
ଇଟିଭି ଭାରତ, ଭୁବନେଶ୍ବର