ଭୁବନେଶ୍ବର: ଆଜିକୁ ତିନି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ଘୋଷଣା କରିଥିଲେ । ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ହେଲା । ଯେଉଁମାନେ ଚୁକ୍ତିଭିତ୍ତିକ/ଠିକା ଭାବେ ଓଡିଶା ସରକାରଙ୍କ ଅଧୀନରେ ଚାକିରୀ କରୁଛନ୍ତି ସେମାନେ ନିୟମିତ ହେବେ ବୋଲି ବିଧିବଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଲା । ଏହି ଘୋଷଣା ହେବା ପରେ ପ୍ରାୟ ସମସ୍ତ ବିଭାଗ ତପ୍ତରତା ପ୍ରକାଶ କରି ନିଜ ନିଜ ବିଭାଗରେ ଥିବା କର୍ମଚାରୀମାନଙ୍କୁ ନିୟମିତ କଲେ । ନିୟମିତ ଦରମା ମଧ୍ୟ ପ୍ରଦାନ କଲେ । କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏହି ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହେଲା । ବିଜ୍ଞପ୍ତି ଅନୁସାରେ ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି କେବଳ ସେହିମାନେ ହିଁ ଉପକୃତ ହେବେ ବୋଲି ଉଲ୍ଲେଖ ଥିଲା ।
ଅର୍ଥାତ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ପାଇବେନି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଲା । ତେଣୁ ଶିକ୍ଷକ ମଧ୍ୟରେ ବହୁ ଅସଙ୍ଗତି ସୃଷ୍ଟି ହେଲା । ଏହି ବିଜ୍ଞପ୍ତିରେ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ପାତରଅନ୍ତର ନୀତି ବିରୋଧରେ ପୁନର୍ବାର ସରକାର ବିଚାର କରନ୍ତୁ ଏବଂ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ପାଖରେ ଦୃଢ ଦାବି ଜଣାଯାଇଥିଲେ। ସଂଘର ଦାବି ଥିଲା ଯେ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ କରିବା ଓ ୬ ଗୋଟି ନ୍ୟାସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା ।
ଦ୍ବିତୀୟ ଦାବି ହେଲା, ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ତୁରନ୍ତ ନିୟମିତ କରିବା । ଯଦି ସରକାର ଫେବୃଆରୀ ୧୦ ମଧ୍ୟରେ ଦାବି ପୂରଣ ନକରନ୍ତି ତାହେଲେ ରାଜ୍ୟ ସଙ୍ଘ ବିଭିନ୍ନ ପ୍ରକାର ଆନ୍ଦୋଳନଆତ୍ମକ ପନ୍ଥା ଅବଲମ୍ବନ କରିବା ସହ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡା ଚେତାବନୀ ଦେଇଛି ମାଧ୍ୟମିକ ଶିକ୍ଷକ ସଂଘ । ଏନେଇ ଆସନ୍ତା ଫେବୃଆରୀ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀମାନଙ୍କୁ ଜିଲ୍ଲା ସଂଘ ଦ୍ୱାରା ଦାବିପତ୍ର ପ୍ରଦାନ କରାଯିବ । ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ତାହେଲେ ଆସନ୍ତା ୧୫ ତାରିଖରେ ସମସ୍ତ ବିଧାୟକ/ମନ୍ତ୍ରୀମାନଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ ।
ଏନେଇ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ଆଗକୁ ମାଟ୍ରିକ ପରୀକ୍ଷା ଆସୁଛି । ଶିକ୍ଷକମାନେ ଚାହୁଁନାହାନ୍ତି ବିଦ୍ୟାଳୟ ଛାଡି ପୁଣି ରାଜରାସ୍ତାକୁ ଓହ୍ଲାନ୍ତୁ । କିନ୍ତୁ ସରକାର ବାରମ୍ବାର ଆନ୍ଦୋଳନ କରିବା ପାଇଁ ବାଧ୍ୟ କରୁଛନ୍ତି ।''
ଇଟିଭି ଭାରତ, ଭୁବନେଶ୍ବର