ଭୁବନେଶ୍ବର: ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ଓ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ସଉରା ଭାଷା ସମ୍ମିଳନୀ । ସଉରା ଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଏହି ସମ୍ମିଳନୀ କରାଯାଇଛି । ଏହି ସମ୍ମିଳନୀ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ହୋଇଯାଇଥିବା ବେଳେ ଏହା ୨ ଦିନ ଧରି ଚାଲିବ । ଓଡ଼ିଶାରେ ଏହି ସମ୍ମିଳନୀ ପ୍ରଥମ ଥର ଆୟୋଜିତ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ ।
ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ କେ ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସଉରା ଭାଷାକୁ ସ୍ବତନ୍ତ୍ର ଭାଷାର ମାନ୍ୟତା ପ୍ରଦାନ ସହ ଭାଷାର ସମ୍ମାନ କିଭଳି ବଜାୟ ରହିବ, ସେନେଇ ଆଲୋଚନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ମହେନ୍ଦ୍ର କୁମାର ମିଶ୍ର, ଓଡ଼ିଆ ସାହିତ୍ୟ ଏକାଡେମୀର ଆଡଭାଇଜରୀ ବୋର୍ଡ ସଦସ୍ୟ ଗୌରହରି ଦାସ, ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ସଚିବ ପ୍ରମୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଦ୍ବିତୀୟ ଅଧିବେଶନରେ ସଉରା ଭାଷାର ଇତିହାସ, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅପରାହ୍ନରେ ସଉରା କ୍ଷୁଦ୍ର ଗଳ୍ପ ପଠନ କାର୍ଯ୍ୟକ୍ରମ ହୋଇଛି । ସଉରା ଭାଷାରେ ଲିଖିତ ପୁସ୍ତକ ପଦର୍ଶନୀ ମଧ୍ୟ ହୋଇଥିଲା । ଆଜି(ରବିବାର) ଏହି ସମ୍ମିଳନୀର ଉଦ୍ଯାପନୀ ହେବ । ଏହି ସମ୍ମିଳନୀରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ସଉରା ଭାଷାର ଲେଖକ, ଗବେଷକ, ଭାଷାବିତ, ପ୍ରଶାସକ ଓ ପାଠକ ଉପସ୍ଥିତ ରହିଥିଲେ ।
ତେବେ ଏହି କାର୍ଯ୍ୟକ୍ରମରେ ସଉରା ଭାଷାର ମହନୀୟତା ବର୍ଣ୍ଣନା କରି କେ ଶ୍ରୀନିବାସ ରାଓ କହିଛନ୍ତି, "ଏହା ହେଉଛି ସଉରା ଜନଜାତିର ବହୁ ପୁରୁଣା ଭାଷା । ଏହି ଭାଷା ଆମ ସଭ୍ୟତା ଆମ ସଂସ୍କୃତି ସହ ଜଡିତ ଥିବାରୁ ଏହି ଭାଷା ଅନେକ ଗୁରୁତ୍ବ ବହନ କରେ । ଏହି ଭାଷାର ସ୍ବତନ୍ତ୍ର ପରମ୍ପରା ଓ ସଂସ୍କୃତି ରହିଛି । ଏହି ଜାତିର ଲୋକମାନେ ପାହାଡ ଉପରେ ଜଙ୍ଗଲ ଘେରରେ ରହୁଥିବା ବେଳେ ବେଶ ସରଳ ଜୀବନଯାପନ କରିଥାନ୍ତି । ଏହି ଜାତିର ବର୍ଣ୍ଣନା ଆଦ୍ୟକାବ୍ୟର ରହିଥିବା ବେଳେ ଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଜଡିତ । ମହାପ୍ରଭୁଙ୍କର ଆଦ୍ୟସେବକ ଅଟନ୍ତି ଏହି ଭାଷାର ଲୋକେ, ଯାହାଙ୍କୁ ଆମେ ଶବର ଜାତି ବୋଲି ଜାଣୁ । ଲାଞ୍ଜିଆ ଓ ସୁଧା ଦୁଇ ଜନଜାତିର ଲୋକେ ଏହି ଭାଷା କହିଥାନ୍ତି । ଏହାସହ ଏହି ସଉରା ଭାଷାର ସ୍ବତନ୍ତ୍ର ଚାଲିଚଳନ, ପରମ୍ପରା ଓ ସଂସ୍କୃତି ରହିଥିବା ବେଳେ ଏବେ ମଧ୍ୟ ଜାତିର ବଂଶଧର ମାନେ ଭାଷାର ସ୍ବତନ୍ତ୍ର ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । ତେବେ ଭାରତ ଭଳି ବହୁବିଧ ଭାଷାର ରାଷ୍ଟ୍ର ସବୁବେଳେ ପ୍ରତିଟି ପ୍ରଚଳିତ ଭାଷାର ସମ୍ମାନକୁ ପ୍ରାଧାନ୍ୟ ଦେଇଥାଏ । କାରଣ ନିଦ୍ଦିଷ୍ଟ ସ୍ଥାନର ଭାଷା ସେହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ଥାଏ ।"
ଅନ୍ୟପଟେ ଆମ ଦେଶରେ ୧ ହଜାରରୁ ଊର୍ଦ୍ଧ୍ବ ଭାଷା ଥିବା ବେଳେ ସେଥିରୁ ୨୪ଟି ଭାଷାକୁ ମାନ୍ୟତା ମିଳିଛି । ୨୪ଟି ଭାଷା ପରେ ଆଗକୁ କିଭଳି ଅନ୍ୟ ଭାଷାକୁ ମାନ୍ୟତା ମିଳିବ, ସେନେଇ ଏଭଳି ସମ୍ମିଳନୀ ମାଧ୍ୟମରେ ଆଲୋଚନା କରାଯାଇଥାଏ । ସବୁଠାରୁ ବଡ଼କଥା ଭାଷାର ସମ୍ମାନ ଭୌଗଳିକ ସ୍ଥିତି ଓ ଏହାର ବିକାଶ ଦିଗରେ ଏଭଳି ସମ୍ମିଳନୀରେ ଆଲୋଚନା ମାଧ୍ୟମରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ । ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟର ଅତିରିକ୍ତ ପ୍ରମୁଖ ଶାସନ ସଚିବ କହିଛନ୍ତି, "ସମ୍ମିଳନୀରେ ସଉରା ଭାଷାର ବିକାଶ ଦିଗରେ ଆଲୋଚନା ହୋଇଥିବା ବେଳେ ଉପସ୍ଥିତ ପ୍ରଶାସକ, ଗବେଷକ ଓ ଭାଷାବିତଙ୍କୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ । ଏହା ସରକାରଙ୍କୁ ଦିଆଯିବ ।" ଏହାପରେ ହିଁ ଏହି ଭାଷାର ଉନ୍ନତି ଦିଗରେ ପଦକ୍ଷେପ ବା କାର୍ଯ୍ୟକ୍ରମ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ସତ୍ୟବ୍ରତ ସାହୁ ।
ଇଟିଭି ଭାରତ, ଭୁବନେଶ୍ବର