ଭୁବନେଶ୍ବର: ଗଣେଶ ପୂଜା ପୂର୍ବରୁ ସହରରେ ମାତିଲେଣି ଚୋର । ପିତଳ ଜିନିଷ ସଫା ଆଳରେ ଲୁଟିନେଲେ ସୁନା ଅଳଙ୍କାର। ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି । ପାର୍ବଣ ଆରମ୍ଭରୁ ଯଦି ଏମିତି ତେବେ ଆଗକୁ ସ୍ଥିତି କଣ ହେବ ସେନେଇ ରାଜଧାନୀବାସୀଙ୍କ ମନରେ ଭୟ ବଢିଛି। କାହିଁକିନା ପାର୍ବଣ ସମୟରେ ମୌକା ଦେଖି ଲୁଟପାଟ କରି ଚମ୍ପଟ ମାରନ୍ତି ଲୁଟେରା ।
ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳେଶ୍ରୀ ବିହାର ଏଲସି କଲୋନୀରେ ଦୁଇ ଜଣ ବ୍ୟକ୍ତି କଂସା ପିତଳ ସଫା ପାଇଁ ଘର ଘର ବୁଲିଥିଲେ । ଲୋକଙ୍କ ଘରକୁ ଯାଇ ପିତଳ ବାସନ ସଫା କରିବାକୁ କହୁଥିଲେ। ଏପରିକି ଅର୍ଗାନିକ ଉପାୟରେ ସଫା ପାଇଁ ଲୋକଙ୍କୁ କହିବା ସହ ଏକ ନିର୍ଦ୍ଧିଷ୍ଟ ପରିଚିତ କମ୍ପାନୀରୁ ଆସିଥିବା ପରିଚୟ ଦେଇଥିଲେ । କେବଳ କଂସା ପିତଳ ନୁହେଁ ବରଂ ସୁନା ଅଳଙ୍କାର ଓ ରୂପା ମଧ୍ୟ ସଫା କରୁଥିବା କହୁଥିଲେ ଲୁଟେରା । ଯାହାକୁ ବିଶ୍ବାସ କରି ପ୍ରିୟଦର୍ଶିନୀ ନାମକ ମହିଳା କିଛି ଅଳଙ୍କାର ସଫା ପାଇଁ ଦେଇଥିଲେ। ପରେ ଲୁଟେରା ମାନେ ସୁନା ଉପରେ ପାଉଡର ପକାଇ କାଗଜରେ ଗୁଡ଼ାଇ ମହିଳାଙ୍କୁ ଦେଇଥିଲେ। ଏହାପରେ କିଛି ସମୟ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖି ପରେ ଖୋଲିବା ପାଇଁ କହିଥିଲେ। ଲୁଟେରା ମାନେ ସେଠାରୁ ଚାଲିଯିବା ପରେ ମହିଳା କାଗଜ ଭିତରେ ସୁନା ନୁହଁ ବରଂ ପିତଳ ଓ ରସର କିଛି ଅଳଙ୍କାର ଥିବା ଦେଖିବାକୁ ପାଇଥିଲେ । ଠକାମିର ଶିକାର ହେବା ପରେ ଏନେଇ ଚନ୍ଦ୍ରଶେଖର ପୁର ଥାନାକୁ ଜଣାଇଥିଲେ ମହିଳା ଜଣଙ୍କ। ତେବେ ଅନେକ ସମୟରେ ମିଛ ପରିଚୟ ଦେଇ ଲୋକଙ୍କ ବିଶ୍ୱାସ ଯିତିବା ପରେ ଏପରି ଢଙ୍ଗରେ ଲୁଟପାଟ କରିଥାନ୍ତି ଲୁଟେରା । ପାର୍ବଣ ସମୟରେ ବେସ ସକ୍ରିୟ ରହିଥାନ୍ତି ଏହି ଏପରି ଅପରାଧି ଗ୍ୟାଙ୍ଗ ।
ଏହା ମଧ୍ୟ ପଢନ୍ତୁ-ଡିକି ଭାଙ୍ଗି ଲୁଟିଥିଲେ ସାଢ଼େ ଆଠ ଲକ୍ଷ, ବାନ୍ଧିଲା ପୋଲିସ
ନଜର ପକାନ୍ତୁ କିଛି ଚୋରି ଘଟଣା ଓ ଅପରାଧି ଗ୍ୟାଙ୍ଗ ଉପରେ
କାର କାଚ ଭଙ୍ଗା ଗ୍ୟାଙ୍ଗ: ପାର୍ବଣ ସମୟରେ ମାତିଥାନ୍ତି କାର କାଚ ଭଙ୍ଗା ଗ୍ୟାଙ୍ଗ । ରାସ୍ତାରେ ପାର୍କିଂ ହୋଇ ଛିଡା ହୋଇଥିବା କାର କାଚ ଭାଙ୍ଗି ଲୁଟ କରି ଛୁ ମାରନ୍ତି ଲୁଟେରା । ଏପରି ଲୁଟ କରି ଅତୀତରେ ଅନେକ ଅପରାଧୀ ମଧ୍ୟ ଧରାପଡ଼ିଛନ୍ତି।
ଟକଟକ ବା କାଳି ଓ ନୋଟ ପକା ଗ୍ୟାଙ୍ଗ: ପାର୍ବଣ ସମୟରେ ଭିଡର ସୁଯୋଗରେ ଏମାନେ ଲୁଟପାଟ କରନ୍ତି। କିଣାକିଣି ବେଳେ ଭିଡ଼ ଜମିଥିବା ବେଳେ ଲୋକଙ୍କ ମନିପର୍ସ ବା ସୁନା ଜିନିଷ ଝାମ୍ପି ନେଇଥାନ୍ତି। ଏପରିକି ବେଳେ ପଡିଲେ ମଉକା ଦେଖି ଲୋକଙ୍କ ଧ୍ୟାନ ଭଟକାଇ ଲୁଟ କରନ୍ତି। ଯେପରିକି ଗାଡି କାଚ ଠକ ଠକ କରି ଗୋଟେ ପଟକୁ ଡାକି ଅନ୍ୟପଟେ ଜିନିଷ ନେଇ ଛୁ ମାରନ୍ତି । ନଚେତ ହଠାତ୍ ଆପଣଙ୍କ ଗାଡିରୁ କାଳି ବାହାରୁଛି କହି ବା ମୋବାଇଲ ବା ଟଙ୍କା ତଳେ ପଡ଼ିଯାଇଛି କହି ଗାଡିରୁ ବା ହାତରୁ ବେକରୁ କିଛି ଜିନିଷ ନେଇ ଛୁ ମାରନ୍ତି।
ମୋ ବସ ଲୁଟେରା: ପାର୍ବଣ ସମୟରେ ମୋ ବସରେ ଯାତ୍ରୀଙ୍କ ଗହଳି ହୋଇଥାଏ । ଏହାର ସୁଯୋଗ ନେଇ ଲୁଟ କରିଥାନ୍ତି ଲୁଟେରା । ଯାତ୍ରୀଙ୍କ ପକେଟ୍ କାଟି ମୋବାଇଲ ଝାମ୍ପି ଛୁ ମାରନ୍ତି।
ନିଶା ଦିଆ ଲୁଟେରା: ଏପରି ଲୁଟେରା ଗ୍ୟାଙ୍ଗ ଅଧିକାଂଶ ସମୟରେ ଲୁଟପାଟ କରିଥାନ୍ତି। ଭୁବନେଶ୍ୱରରୁ ଯାଉଥିବା ବା ରାଜଧାନୀକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ପକାଇଥାନ୍ତି ଏମାନେ। ବସ ଷ୍ଟାଣ୍ଟ ବା ରେଳ ଷ୍ଟେସନରେ ଏମାନେ ସକ୍ରିୟ ଥାନ୍ତି। ଲିଫ୍ଟ ଦେବା ବାହାନାରେ ଚକୋଲେଟ, ଚା ବା ପାଣି ଦେଇ ସେଥିରେ ନିଶା ଦେଇ ବେହୋସ୍ କରି ଲୁଟ କରନ୍ତି।
ସପିଂ ମଲ ଲୁଟେରା ଗ୍ୟାଙ୍ଗ: ଅନେକ ସମୟରେ ଗହଳି ଦେଖି ସପିଂ ମଲରେ ପଶିଥାନ୍ତି ଲୁଟେରା। ଏପରିକି କେତେବେଳେ ପ୍ରାଇସ ଟ୍ୟାଗ କାଟି ତ ଆଉ କେତେବେଳେ ଗହଳି ଦେଖି ଅଣ୍ଟିରେ ଜିନିଷ ଲୁଚାଇ ଚୋରି କରିଥାନ୍ତି । ତେଣୁ ଏମାନଙ୍କ ଉପରେ ମଧ୍ୟ ନଜରରଖିବା ପାଇଁ ବ୍ୟବସାୟୀକ ପ୍ରତିଷ୍ଠାନକୁ ଅବଗତ କରାଯାଇଛି।
ଏଟିଏମ ଓ ସଟର ତଡ଼ା ଗ୍ୟାଙ୍ଗ: ପାର୍ବଣ ସମୟରେ ଭଲ ବ୍ୟବସାୟ ଯୋଗୁଁ ଅନେକ ବ୍ୟବସାୟୀ ଦୋକାନରେ କ୍ୟାସ ରଖିଥାନ୍ତି। ଏହାକୁ ନଜରରେ ରଖି ଲୁଟେରା ମାନେ ଦୋକାନର ସଟର ତାଡି ବା ଆଜବେଷ୍ଟ ଭାଙ୍ଗି ଲୁଟ କରନ୍ତି । ଏପରିକି ଏଟିଏମ୍ ଭାଙ୍ଗି ଟଙ୍କା ନେଇୟାଇଥାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର