ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ଆସନ୍ତା ୨୭ରୁ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ଆରମ୍ଭ ହେବ । ଫେବୃୟାରୀ ୨୭ ରେ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏଥି ନିମନ୍ତେ ସହର ଟ୍ୟାକ୍ସ ଫୋର୍ସ ବୈଠକ ଭୁବନେଶ୍ୱର ମହାନଗର କମିଶନର ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା ୯୦ହଜାର ୪୨୫ ଜଣ ଶିଶୁ ସାମିଲ ହେବେ । ଫେବୃୟାରୀ ୨୭ରେ ସହରରେ ୨୫୦ଟି ବୁଥ ମାଧ୍ୟମରେ ଏହି ପୋଲିଓ ବୁନ୍ଦା ଟୀକାକରଣ କରାଯିବ । ଏଥିରେ ୫୦୧ଟି ଟିମ୍ ସାମିଲ ରହିବେ । ଏଥିସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି ।
କୋଭିଡ କଟକଣା ଅନୁପାଳନ କରାଯାଇ ଏହି ଟୀକାକରଣ କାର୍ଯ୍ୟକ୍ରମ ହେବ । ଏଥିରେ ସାମିଲ ହୋଇଥିବା କର୍ମୀମାନେ ୨ ଡୋଜ କୋଭିଡ ଟୀକା ସହ ବୁଷ୍ଟର ଡୋଜ ନେଇଥିବା ବାଧ୍ୟତାମୂଳକ । ସେହିପରି ମା' କିମ୍ବା ଶିଶୁ ଉଭୟ କୋଭିଡ଼ରେ ସଂକ୍ରମିତ ହୋଇଥିଲେ ଟୀକାକରଣ କେନ୍ଦ୍ରକୁ ଯିବାକୁ ବାରଣ କରାଯିବ । ସହରରେ ଶତ ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନିଶ୍ଚିତ କରାଯିବାକୁ କମିଶନର ସମ୍ପୃକ୍ତ ସମସ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କୌଣସି କାରଣରୁ ଏହି ଦିନ ଶିଶୁ ପୋଲିଓ ବୁନ୍ଦା ନ ନେଇପାରିଲେ, ଫେବୃୟାରୀ ୨୮ଓ ମାର୍ଚ୍ଚ ୧ ତାରିଖରେ ଉକ୍ତ ଶିଶୁଙ୍କ ଘରକୁ ଘର ବୁଲି ଟୀକାକରଣ କରାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀମାନଙ୍କ ସମେତ ଜନସାଧାଣଙ୍କୁ ସଚେତନ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହଯୋଗ ନିଆଯିବ ।
ସହରାଞ୍ଚଳ ସୀମାରେ ଥିବା ଗ୍ରାମଗୁଡିକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ଲକ୍ଷା କରି ସମସ୍ତ ଶିଶୁଙ୍କୁ ଟୀକାକରଣ କରାଯିବ । ବିଶେଷ କରି ସ୍ୱଳ୍ପଦିନ ପାଇଁ ସହରରେ ରହୁଥିବା ପରିବାର, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀ, ବସ୍ତି ଅଂଶଳ, ଇଟା ଭାଟି ଅଂଚଳରେ ରହୁଥିବା ପରିବାରର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯିବ । ସେହିପରି ଶୁନ ରୁ ୨ ବର୍ଷର ଶିଶୁଙ୍କୁ ମିଳିମିଳା ଓ ରୁବେଲା ଟୀକା ମାର୍ଚ୍ଚ ୭ ତାରିଖ, ଏପ୍ରିଲ ୭ ଓ ମଇ ମାସ ୬ ତାରିଖରେ ଦିଆଯିବ । ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଡାକ୍ତର ସୁନୀଲ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ସ୍ବାସ୍ଥ୍ୟ ଅଧିକାରୀ, ବିଏମସିର ସମସ୍ତ ଜୋନ ଅଧିକାରୀ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବିଏମସି ଅନ୍ତର୍ଗତ ସମସ୍ତ ସିଡିପିଓ, ବ୍ଲକ ଶିକ୍ଷା ଅଧିକାରୀ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ