ଭୁବନେଶ୍ବର: OSSSC ଅଫିସ ସାମ୍ନାରେ ପନିପରିବା ରଖି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଫାର୍ମାସିଷ୍ଟ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପାଇଁ OSSSC ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ OSSSC ଅଫିସ୍ ସାମ୍ନାରେ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ନିଯୁକ୍ତି ପାଇଁ ଆଶାୟୀ ଛାତ୍ରମାନେ ପନିପରିବା ରଖି ପ୍ରତିବାଦ କରିଛନ୍ତି ।
ସୂଚନା ଅନୁସାରେ, OSSSC ଅଫିସିଆଲ ନିଯୁକ୍ତି କ୍ୟାଲେଣ୍ଡରରେ ୧ହଜାର ୨ ଟି ଫାର୍ମାସିଷ୍ଟ ପଦବୀ ଏବଂ ୧ହଜାର ୪୫୧ MPHW ପୋଷ୍ଟ ପାଇଁ ମେ' ମାସରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଲ୍ଲେଖ ଥିଲା । ଏପଟେ ଅଗଷ୍ଟ ମାସରେ ପରୀକ୍ଷା କରାଯାଇ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ନିର୍ଦ୍ଦେଶ ଥିଲା । କିନ୍ତୁ ମେ' ମାସଠାରୁ ଫାର୍ମାସିଷ୍ଟ ଏବଂ MPHW ପୋଷ୍ଟକୁ ଘୁଞ୍ଚାଯାଇ ଜୁଲାଇକୁ ଅଣାଗଲା। ପୁନଶ୍ଚ ଜୁଲାଇରୁ ଅଗଷ୍ଟ ଆଉ ତା' ପରେ ସେପ୍ଟେମ୍ବର ମାସ ଧାର୍ଯ୍ୟ କରାଯାଇଥିଲା। ଯାହାକି ଏବେ ସେପ୍ଟେମ୍ବର ମାସର ୨ ତାରିଖ ଦିନରୁ ପୁଣି ଅକ୍ଟୋବର ମାସକୁ ଘୁଞ୍ଚାଇ ଦିଆଯାଇଛି । ତେବେ "ସରକାରଙ୍କର ନିର୍ଦ୍ଦେଶକୁ OSSSC ଖାତିର ନ କରିବା ଅତ୍ୟନ୍ତ ଦୁଃଖଦ ବିଷୟ" ବୋଲି ଫାର୍ମାସିଷ୍ଟମାନେ ଅଭିଯୋଗ କରିଛନ୍ତି ।
ଫାର୍ମାସିଷ୍ଟ ଏବଂ MPHW(M) ପଦବୀ ପାଇଁ ସମସ୍ତ ଆଶାୟୀ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ OSSSCର ସରକାରୀ ବିରୋଧୀ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଆକର୍ଷଣ କରାଇଛନ୍ତି । ରାଜ୍ୟ ସରକାର ଦୀର୍ଘ ୭୫ ବର୍ଷ ଭିତରେ ୨ହଜାର ୪୫୩ ଫାର୍ମାସିଷ୍ଟ ଏବଂ MPHW(M) ପୋଷ୍ଟ ବାହାର କରି ଇତିହାସ ସୃଷ୍ଟି କରିଥିବାବେଳେ OSSSC କର୍ତ୍ତୃପକ୍ଷଙ୍କ ସରକାରୀ ବିରୋଧୀ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଆଶାୟୀ ଫାର୍ମାସିଷ୍ଟ।
ଏହା ବି ପଢନ୍ତୁ...ରାଜଗାଙ୍ଗପୁରରେ କଂଗ୍ରେସର ନିଆରା ପ୍ରତିବାଦ, ଅଫିସକୁ ପଶି କର୍ମଚାରୀଙ୍କୁ ପିନ୍ଧାଇଲେ ଫୁଲମାଳ
ତେବେ OSSSCର ସରକାରୀ ବିରୋଧୀ କାର୍ଯ୍ୟ ଓ ମନମାନିର ପ୍ରତିବାଦରେ ରାଜ୍ୟର ସମସ୍ତ ଫାର୍ମାସିଷ୍ଟ ଆଶାୟୀ ପ୍ରାର୍ଥୀମାନଙ୍କ ଦ୍ବାରା OSSSC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା କୁହାଯାଇଛି । ଫାର୍ମାସିଷ୍ଟ ଏବଂ MPHW(M) ପୋଷ୍ଟ ନୋଟିଫିକେସନ ନବାହାର କରିବା ପର୍ଯ୍ୟନ୍ତ OSSSC ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାସହ ପରିବା ରଖି ସେହି OSSSC କାର୍ଯ୍ୟାଳୟର ଅଧିକାରୀଙ୍କୁ ବିକ୍ରି କରି ପରିବାର ଚଳାଇବାକୁ ସଂଘ ନିଷ୍ପତି ନେଇଛି।
ଇଟିଭି ଭାରତ, ଭୁବନେଶ୍ବର