ଭୁବନେଶ୍ବର: ଓଲିଉଡ ବିବାଦର ସମାଧାନ ସହ ମନୋଜ ମିଶ୍ରଙ୍କ ଗିରଫକୁ ଦାବି ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହେଲେ ପ୍ରଥା ଫିଲ୍ମ ପ୍ରଯୋଜିକା ସାନଲିସା ପଟେଲ । ଦିନକୁ ଦିନ ବଢ଼ିବାରେ ଲାଗିଛି ଓଲିଉଡ୍ ବିବାଦ । ଆଉ ଏହି ବିବାଦରେ ବଳି ପଡୁଛି ଓଡ଼ିଆ ସିନେମା । ଯେଉଁ ପ୍ରଯୋଜକମାନେ ଏହି ବିବାଦ ସମୟରେ ସିନେମା ପ୍ରସ୍ତୁତ କରୁଛନ୍ତି ସେମାନଙ୍କର ସିନେମା ଚାଲିପାରୁନାହିଁ । ଯାହା କେବଳ ସିନେ ପ୍ରଯୋଜକଙ୍କୁ ନୁହେଁ ଓଡ଼ିଆ ସିନେମା ଶିଳ୍ପର ମେରୁଦଣ୍ଡକୁ ଭାଙ୍ଗିଦେଉଛି।
ବିଶେଷ କରି ବିବାଦକୁ ନେଇ ସିନେମା ବଜାରରେ ଓଡ଼ିଆ ଚଳଚ୍ଚିତ୍ର ଚାଲିପାରୁନଥିବାରୁ କ୍ଷତି ସହୁଛନ୍ତି ପ୍ରଯୋଜକ ଆଉ ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି କଳାକାରମାନେ । ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରଥାଠୁ ଆରମ୍ଭ କରି ରାଉଡି ରାଜା ଏମିତି ଅନେକ ସିନେମା ହଲରେ ପଡିବା ପୂର୍ବରୁ ହଲ୍ରୁ ଉଠିଯାଉଛି । ତେଣୁ ଏହାକୁ ନେଇ ଓଡିଆ ସିନେମା ଶିଳ୍ପ ପ୍ରଭାବିତ ହେଉଛି ।
ବିଶେଷ କରି ପ୍ରଥା ଫିଲ୍ମ ହଲ୍ରେ ପଡ଼ିବାର ମାତ୍ର ଗୋଟିଏ ଦିନ ପରେ ଉଠିଯାଇଥିଲା । ଫିଲ୍ମର ପୋଷ୍ଟର ଚିରିବା ସହ ଫିଲ୍ମକୁ ବିରୋଧ କରାଯାଉଥିବା ବେଳେ ଏହାକୁ ବନ୍ଦ କରିବା ଓ ସିନେମାର ବିକାଶକୁ ନେଇ ଆଗକୁ ଓଡ଼ିଆ ସିନେମାକୁ ସୁଧାରିବା ପାଇଁ ବାହାରିଛନ୍ତି ପ୍ରଥାର ପ୍ରଯୋଜିକା ସାନଲିସା । ତେବେ ଏନେଇ ସେ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଭଳି ସ୍ଥିତିର ଆଗକୁ ଯେଭଳି ପୁନରାବୃତ୍ତି ନହେଉ ତାହାକୁ ନେଇ ସିନେମା ନିଗମଠାରୁ ଆରମ୍ଭ କରି ପ୍ରଯୋଜକ ଓ ସଚିବାଳୟଠାରୁ ଆରମ୍ଭ କରି ମହିଳା କମିଶନ ସମସ୍ତଙ୍କୁ ଯାଇ ଭେଟିଛନ୍ତି ଆଉ ପୁଣି ଥରେ ଓଡ଼ିଆ ସିନେମାର ଭାଗ୍ୟ ପରିବର୍ତ୍ତନ ପାଇଁ ଓ ବିକାଶ ପାଇଁ ସମସ୍ତେ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ପ୍ରଯୋଜିକା । ଆଜି ପ୍ରଯୋଜିକା ସଚିବାଳୟ ସହ ମହିଳା କମିଶନଙ୍କୁ ଭେଟି ତାଙ୍କର ଦାବି ଜଣାଇଛନ୍ତି ।
ଅନ୍ୟପଟେ ପ୍ରଯୋଜିକା ସାନଲିସା ପଟେଲ ଓଲିଓଡ୍ ବିବାଦରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ରଙ୍କ ଗିରଫ ଦାବି ମଧ୍ୟ କରୁଛନ୍ତି । ଆଜି ମହିଳା କମିଶନକୁ ଭେଟି ସେ ଅଭିନେତା ମନୋଜ ମିଶ୍ରଙ୍କ ଗିରଫ ଦାବି କରିଛନ୍ତି । ମନୋଜ ମିଶ୍ରଙ୍କ ସମର୍ଥକମାନେ ଜାଣିଶୁଣି ତାଙ୍କ ଫିଲ୍ମ ନଚଲାଇବା ପାଇଁ ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ପ୍ରୋଯୋଜିକା ।