ଭୁବନେଶ୍ବର: ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବା ପିଏମଏଫବିୱାଇ ଅନ୍ତର୍ଗତ ପଞ୍ଜିକରଣ ପ୍ରାୟ ୧୦/୧୧ ଲକ୍ଷ ହୋଉଥିଲା । କିନ୍ତୁ ଚଳିତବର୍ଷ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପିଛି । ଫଳରେ ପ୍ରିମିୟମ ବାବଦରେ ଅଧିକ ଅର୍ଥ ବହନ କରିବ ରାଜ୍ୟ । ନିଜ ସମ୍ବଳରୁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ୍ଚ କରିବ ରାଜ୍ୟ ।
୨୦୧୬ ଖରିଫରୁ ରାଜ୍ୟରେ ପିଏମଏଫବିୱାଇ କାର୍ଯ୍ୟ କରୁଛି । ଏହି ଯୋଜନା ବୀମା କମ୍ପାନୀମାନଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଛି । ସେମାନଙ୍କ ଦ୍ବାରା ଦିଆଯାଉଥିବା ପ୍ରିମିୟମ ହାର ଉପରେ ପ୍ରତିଯୋଗିତା ମୂଳକ ଟେଣ୍ଡର ଆଧାରରେ ପ୍ରତି ତିନି ବର୍ଷରେ ଥରେ ଏହି କମ୍ପାନୀମାନଙ୍କୁ ଚୟନ କରାଯାଉଛି । ଏହି ଯୋଜନା ଅଧୀନରେ ପଞ୍ଜିକରଣ ପାଇଁ ଚାଷୀମାନଙ୍କୁ ପ୍ରିମିୟମ ଦେବାକୁ ପଡିବ । ସେମାନଙ୍କ ପ୍ରିମିୟମ ଉପରେ ଅଧିକ ପ୍ରିମିୟମ ସବସିଡି ଦିଆଯାଉଛି । ଏହି ସବସିଡି କେନ୍ଦ୍ର ସରକାର ଏବଂ ଓଡିଶା ସରକାର ୫୦:୫୦ ଅନୁପାତରେ ବହନ କରୁଛନ୍ତି । ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଯେମିତି କି ସେରଲାକ, ଡାଲି ଏବଂ ତୈଳବୀଜ ପାଇଁ କୃଷକଙ୍କ ପ୍ରିମିୟମ ଅଂଶ ବୀମାଭୁକ୍ତ ରାଶି ବା ଏସଆଇର ୨% ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲ ପାଇଁ ଏସଆଇର ୫% ସ୍ଥିର କରାଯାଇଛି । ରବି ଋତୁ ଫସଲ ପାଇଁ କୃଷକଙ୍କ ପ୍ରିମିୟମର ଅଂଶ ୧.୫% ଏସଆଇ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଫସଲ ପାଇଁ ଏସଆଇ ର ୫% ସ୍ଥିର କରାଯାଇଛି ।
ଏହାବି ପଢନ୍ତୁ- PMFBYରେ ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି, ୨୫ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ଲକ୍ଷ୍ୟ
ଫସଲ ଉତ୍ପାଦନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବା ସମସ୍ତ ପ୍ରକାରର ବିପଦ ସହିତ ଫସଲ ଅଭିବୃଦ୍ଧିର ତିନୋଟି ପର୍ଯ୍ୟାୟ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ । ପ୍ରତିକୂଳ ପାଣିପାଗ ପରିସ୍ଥିତି, ଋତୁ ମଝିରେ ପ୍ରତିକୂଳ ପରିସ୍ଥିତି ଏବଂ ଶେଷ ସମୟରେ ଉତ୍ପାଦନ କ୍ଷୟ ପାଇଁ ଏହି ଯୋଜନା ଅଧୀନରେ କ୍ଷତିପୂରଣ ଦିଆଯାଏ । ଏହି ଯୋଜନାର ଏକ ପ୍ରମୁଖ ପ୍ରତିକୂଳ ଦିଗଟି ହେଉଛି ଏଥିରେ କମ ସଂଖ୍ୟକ କୃଷକ ସାମିଲ ହେବା । ଓଡିଶାରେ ୫୦ ଲକ୍ଷ କୃଷି ପରିବାର ମଧ୍ୟରୁ ମାତ୍ର ୧୦ ଲକ୍ଷ କୃଷକ ଏହି ଯୋଜନାରେ ପଞ୍ଜିକରଣ କରୁଥିଲେ ଯାହା କି ଆଦୌ ଉତ୍ସାହଜନକ ନଥିଲା । ସମୁଦାୟ ୪୫ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ କେବଳ ୧୦ ଲକ୍ଷ ହେକ୍ଟର ଫସଲ ଜମି ବୀମାଭୁକ୍ତ ହେଉଥିଲା । ଚଳିତ ଖରିଫରେ ଏହା ୨୩.୫୦ ଲକ୍ଷକୁ ଟପିଯାଇଛି ।
୨୦୨୩ ଖରିଫ ଋତୁରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ତାଙ୍କ ଟିମ ସହଯୋଗରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ଉପରେ କୃଷକଙ୍କ ବୀମା ପ୍ରିମିୟମ ବହନ ପାଇଁ ଏକ ଐତିହାସିକ ନିଆଯାଇଛି । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ସମୁଦାୟ କୃଷି କ୍ଷେତ୍ରରେ ସର୍ବାଧିକ ଅଟନ୍ତି । ସେମାନେ ନିଜର ଫସଲର ବୀମା କରିବା ପାଇଁ ପ୍ରିମିୟମର ଭାର ବହନ କରିବାକୁ ସକ୍ଷମ ହୋଇନଥିଲେ । ଏହି କୃଷକମାନେ ସବୁଠାରୁ ଅସୁରକ୍ଷିତ ହୋଇ ପଡୁଥିଲେ । ଯେକୌଣସି ପ୍ରକାରର ଫସଲକୁ ପ୍ରତିକୂଳ ପାଣିପାଗରୁ ବଞ୍ଚାଇ ରଖିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଥିଲା । ମାଗଣାରେ ପଞ୍ଜିକରଣ କରିବା ସହିତ ଏହି କୃଷକ ସମ୍ପ୍ରଦାୟର ଜୀବନ ଏବଂ ଜୀବିକା ରକ୍ଷା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ ।
ଯୋଜନାରେ ପଞ୍ଜିକରଣର ଶେଷ ତାରିଖ ୩୧ ଜୁଲାଇ ଥିଲା । କିନ୍ତୁ ଓଡିଶା ସରକାର ଚାପ ଏବଂ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ତାରିଖକୁ ଆହୁରି ୫ ଦିନ ବୃଦ୍ଧି କରିଥିଲେ । କାରଣ ଏହି ବର୍ଷ ଚାଷ କାର୍ଯ୍ୟ ବିଳମ୍ବିତ ମୌସୁମୀ ଯୋଗୁଁ ଡେରିରେ ଆରମ୍ଭ ହୋଇଛି । ଏହି ଚାଷୀ ଅନୁକୂଳ ନିଷ୍ପତ୍ତି ବିଶେଷ କରି କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଫସଲ ବୀମା କରିବାର ପରିବର୍ତ୍ତନମୂଳକ ପଦକ୍ଷେପ ରାଜ୍ୟରେ କୃଷକଙ୍କ ପଞ୍ଜିକରଣରେ ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟର କୃଷକମାନେ ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି । ଉତ୍ସାହର ସହିତ ଏହି ଯୋଜନାରେ ଅଂଶଗ୍ରହଣ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୨୨ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର କୃଷକ ଏହି ଯୋଜନାରେ ପଞ୍ଜିକରଣ କରିଛନ୍ତି । କୌଣସି ପ୍ରକାରର ପାଣିପାଗ / ପ୍ରକୃତି ସମ୍ବନ୍ଧୀୟ ଉତ୍ପାଦନ ବିପଦରୁ ରକ୍ଷା ପାଇଁ ସେମାନଙ୍କ ଫସଲ ବୀମାଭୁକ୍ତ କରିଛନ୍ତି । ରାଜ୍ୟର ମହିଳା କୃଷକ ମଧ୍ୟ ଏହି ଯୋଜନା ପ୍ରତି ବହୁତ ଆଗ୍ରହ ଦେଖାଇଛନ୍ତି । ଅଧିକ ସଂଖ୍ୟାରେ ଭାଗ ନେଇଛନ୍ତି । ପ୍ରାୟ ୪ ଲକ୍ଷ ମହିଳା କୃଷକ ଫସଲ ବୀମା ଯୋଜନା ଅଧୀନରେ ସେମାନଙ୍କ ଫସଲର ପଞ୍ଜିକରଣ କରିଛନ୍ତି । ଅନ୍ତିମ ପଞ୍ଜିକରଣ ପରିସଂଖ୍ୟାନ ଆସିଥିବାରୁ ରାଜ୍ୟ ପ୍ରିମିୟମ ସବସିଡି ବହନ କରିବାକୁ ରାଜ୍ୟ ସରକାରଙ୍କୁ ନିଜ ସମ୍ବଳରୁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଇଟିଭି ଭାରତ, ଭୁବନେଶ୍ବର