ଭୁବନେଶ୍ବର: ପୋଲିସ ପାଇଁ ବଢୁଛି ବରିଷ୍ଠ ନାଗରିକଙ୍କ ସୁରକ୍ଷା ଚିନ୍ତା । ଅସାମାଜିକଙ୍କ ଶିକାର ହେଉଛନ୍ତି ସିନିଅର୍ ସିଟିଜେନ୍ । ଏକାକୀ ଦେଖି ଘରେ ପଶି ଲୁଟପାଟ୍ କରୁଛନ୍ତି ଦୁର୍ବୃତ୍ତ । ରାସ୍ତାରେ ଏକୁଟିଆ ପାଇ ଲୁଟପାଟ୍ କରିବା ସହ ଆକ୍ରମଣ କରୁଛନ୍ତି । ଲୁଟ୍, ଛିନତାଇ ଓ ଚୋରି ପାଇଁ ସବୁ ସୀମା ଟପୁଛନ୍ତି । ଯାହାଙ୍କର ସଫ୍ଟ ଟାର୍ଗେଟ ପାଲଟିଛନ୍ତି ବୃଦ୍ଧ ବୟସର ଲୋକ । ଏହା ଏବେ ରାଜଧାନୀରେ ପୋଲିସ ପାଇଁ ଅଡୁଆ ସୃଷ୍ଟି କରିଛି । ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଥାନାସ୍ତରରେ ଆରମ୍ଭ ହୋଇଛି ଘନଘନ ବୈଠକ ।
ଜୋନାଲ ଏସିପି ଏନେଇ ଏଭଳି ପ୍ରବଣତା ଥିବା ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ନେଇ ଆରମ୍ଭ କରିଛନ୍ତି ବୈଠକ ଅଭିଯାନ । ଯେଉଁଠି ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳର କିଛି ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ସୋସାଇଟିର ସେକ୍ରେଟାରୀ ଓ ପ୍ରେସିଡେଣ୍ଟକୁ ଡକାଇ ପୋଲିସ କରୁଛି ଘନଘନ ବୈଠକ । ପୋଲିସ ଜାଣିବାକୁ ଚାହୁଁଛି ଏହି ଅଞ୍ଚଳରେ କେତେ ରହୁଛନ୍ତି ବରିଷ୍ଠ ନାଗରିକ ? ନିତିଦିନ କିପରି ରହୁଛି ଚଳପ୍ରଚଳ ? କେଉଁ କେଉଁ ସ୍ଥାନରେ ବରିଷ୍ଠ ନାଗରିକଙ୍କ ଆତଯାତ ବେଶୀ ? ଏକାକୀ କେତେଜଣ ରହୁଛନ୍ତି ବରିଷ୍ଠ ନାଗରିକ ? କେଉଁ ଅଞ୍ଚଳରେ ଲୁଟେରା ଓ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ ଅଧିକ ? ସେହିସବୁ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଏକ ତାଲିକା ପ୍ରସ୍ତୁତ କରିଛି । ଏନେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏନେଇ ଏକ ହ୍ବାଟ୍ସଆପ୍ ଜରିଆରେ ଯୋଡ଼ି ହେବା ପାଇଁ ଏକ ଗ୍ରୁପ୍ ତିଆରି କରାଯାଉଛି । ଥାନାଧିକାରୀ ସେହି ଗ୍ରୁପ୍ରେ ଆଡ୍ମିନ୍ ରହିଛନ୍ତି । ଏହିପରି ଭାବେ ବିଗତ ଦୁଇ ଦିନ ଧରି ପୋଲିସ ଏଣେ ଘନଘନ ବୈଠକ କରୁଥିବା ନଜରକୁ ଆସିଛି ।
ତେବେ ଗତକାଲି(ଶନିବାର) ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କିଛି ବରିଷ୍ଠ ନାଗରିକଙ୍କୁ ନେଇ ଜୋନ ୬ ଏସିପି ବୈଠକ କରିଥିବା ବେଳେ ରବିବାର ମଧ୍ୟ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଜୋନ୍ ୩ ଏସିପି ବୈଠକ କରିଛନ୍ତି । ବୈଠକରେ କିଛି ବରିଷ୍ଠ ନାଗରିକ, ଯେଉଁମାନେ ଲୁଟପାଟ୍ର ଶିକାର ହୋଇଥିଲେ ସେମାନଙ୍କ ଅନୁଭୂତି ସମସ୍ତଙ୍କୁ ବାଣ୍ଟିଛନ୍ତି । ଫଳରେ ପୋଲିସ ଅନ୍ୟ ବରିଷ୍ଠ ନାଗରିକଙ୍କୁ କିପରି ସତର୍କ ରହିବେ, କଣ କଣ ପଦକ୍ଷେପ ନେବେ ସେନେଇ ମଧ୍ୟ ସଚେତନ କରିଛି । କାରଣ ବିଗତ କିଛିଦିନ ଧରି ଭୁବନେଶ୍ବରରେ ଅନେକ ବରିଷ୍ଠ ନାଗରିକ ଲୁଟପାଟ୍ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସୁଛି ।
ଜୁଲାଇ ୪ ତାରିଖ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ନିଳାଦ୍ରୀ ବିହାରର ଅବସରପ୍ରାପ୍ତ ଡାକ୍ତର ଦମ୍ପତ୍ତି ପୁରୋରମା ପ୍ରଧାନଙ୍କ ଘରୁ କଳାକନା ବୁଲାଇଥିଲେ ଦୁର୍ବୃତ୍ତ । ଘରର ଗ୍ରୀଲ୍ ତାଡ଼ି ଲୁଟି ନେଇଥିଲେ ସୁନା ଗହଣା ସହ ନଗଦ ଟଙ୍କା ଓ ଦାମି ଜିନିଷ । ଏହା ପୂର୍ବରୁ ଜୁଲାଇ ୧ ତାରିଖ ଭରତପୁର ଥାନା ଅଞ୍ଚଳରେ ଆଇପିଏସ୍ ସାଗରିକା ନାଥଙ୍କ ବାପା ଓ ମାଆ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ । ସେହିପରି ମାର୍ଚ୍ଚ ୧୯ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଓସ୍କାର ସିଟିରେ ଜଣେ ମହିଳା ଫୁଲ ତୋଳିବା ବେଳେ ଦୁଇ ଜଣ ଯୁବକ ଆସି ପିଛା କରିବା ସହ ମହିଳାଙ୍କୁ ଗୋଡ଼ାଇ ତଳେ ପକାଇ ବଳ ପୂର୍ବକ ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଛୁ' ମାରିଥିଲେ । ସେହିପରି ଏପ୍ରିଲ ୫ ତାରିଖ ଧଉଳି ଥାନା ଅଞ୍ଚଳର ନୂଆଗାଁ ପାଖ ବିଜୟ ବିହାରର ଲେନ୍ ୧ରୁ ବୃଦ୍ଧ ଆରତୀ ଦାସଙ୍କ ଘରର ଝରକା ତାଡ଼ି ଠାକୁରଙ୍କ ସାମଗ୍ରୀ ସହ ଘରର ଗହଣା ଓ ନଗଦ ଟଙ୍କା ନେଇ ଛୁ' ମାରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର