ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୁର୍ବରୁ କଲମା ଗେଟ୍ ଖୋଲିଛି ଛତିଶଗଡ଼ । ମାସେ ଧରି ଶୁଖିଲା ପଡ଼ିଥିବା ମହାନଦୀର ପ୍ରବେଶପଥ ସୁଖାସୋଡାରେ ପାଣି ଦେଖିବାକୁ ମିଳିଛି । ଗତ ମଙ୍ଗଳବାର କଲମାର ୧୭ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୨୦ଟି ଗେଟ୍ ଖୋଲାଯାଇଛି । ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଲମା ବ୍ୟାରେଜ ଗେଟ୍ ଖୋଲିବା ଛତିଶଗଡର ଏକ ଚାଲ ବୋଲି କୁହାଯାଉଛି । ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏଠି ପ୍ରଶ୍ନ ଉଠୁଛି, ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ କ୍ଷେତ୍ର ପରଦର୍ଶନ ପରେ ବଦଳିଗଲା କି ଛତିଶଗଡ଼ର ଆଭିମୁଖ୍ୟ ? ତେବେ ମହାନଦୀ ମାମଲାରେ ଓଡ଼ିଶା ସରକାର ଭୁଲ କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ପରେ ଖୋଲିଛି କଲମା ଡ୍ୟାମ୍ । ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ା ଯାଉଛି ପାଣି । ନିୟମ ବାହାରେ ପାଣି ଗଚ୍ଛିତ ରଖିଥିଲେ କି ଛତିଶଗଡ ସରକାର ? ଅଣମୌସୁମୀ ସମୟରେ କାହିଁକି ଖୋଲିଲା କଲମା ଡ୍ୟାମ୍ ? ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଗତ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ଗତକାଲି(ବୁଧବାର) ଛତିଶଗଡ଼ କଲମା ଡ୍ୟାମର ୨୦ଟି ଗେଟ ଖୋଲିଛି । ଟ୍ରିବ୍ୟୁନାଲ ଟିମ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଆସନ୍ତା ମେ ୧୦ ତାରିଖରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବେ । ଓଡ଼ିଶାର ଦୃଶ୍ୟ ଟ୍ରିବ୍ୟୁନାଲ ଟିମ ଦେଖିଦେଲେ ଛତିଶଗଡ଼ର ସତ ଧରପଡି ଯିବ କି ? ସେପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଦେଖିଦେବ ଟ୍ରିବ୍ୟୁନାଲ ଟିମ୍, ସେଥିପାଇଁ କଲମା ବ୍ୟାରେଜର ୨୦ଟି ଗେଟ୍ ଛତିଶଗଡ଼ ଖୋଲିଦେଇଛି ବୋଲି କୁହାଯାଉଛି । ଟ୍ରିବ୍ୟୁନାଲ ଟିମ ଓଡିଶା ଆସୁଥିବାରୁ ଛତିଶଗଡ଼ କଲମାର ଗେଟ ଖୋଲି ଥାଇପାରେ । ଆସନ୍ତା ମେ’ ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ ଓଡିଶା ଆସିବାର ସମ୍ଭାବନା ରହିଛି ।
ତେବେ ମହାନଦୀ ବିବାଦ ସମ୍ପର୍କରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ମହାନଦୀରେ କିଛି ବ୍ୟାରେଜ ନିର୍ମାଣ କରିପାରିନାହାନ୍ତି । ଆମେ ଅନ୍ୟ ରାଜ୍ୟକୁ କାହିଁକି କହିବୁ । 9 ବର୍ଷ ଉଭୟ ବିଜେଡି ଓ ବିଜେପି ମିଳିତ ଭାବରେ ସରକାର ଚଳାଉଥିଲେ । ବ୍ୟାରେଜ କାହିଁକି କରିନାହାନ୍ତି ? ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ ରହିଛି । ୨୪ ବର୍ଷ ପରେ ବି ଗାଁ ଗୁଡ଼ିକରେ ପିଇବା ପାଣିର ଅଭାବ ରହୁଛି । କେନ୍ଦ୍ର ସରକାର ଚାହିଁଲେ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ କେନ୍ଦ୍ର ସରକାର ରାଜନୀତି କରିବା ପାଇଁ ଏହାର ସମାଧାନ କରୁନାହାନ୍ତି । ଉଭୟ ସରକାର କେବଳ ଭୋଟ ରାଜନୀତି କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର