ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜୁନ ୨୦୨୨ରେ ୫ମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ । ସେହି ସନ୍ଧ୍ୟାରେ ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଥିଲେ । ଏଣିକି ୫ଟି ନୁହେଁ, ୬ଟି ମନ୍ତ୍ରରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀମାନେ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ ୱାର୍କ, ଟାଇମ, ଟ୍ରାନ୍ସଫରମେସନ ଛଡା ଆଉ ଏକ 'ଟି' ଅର୍ଥାତ ଟୁର ଯୋଡ଼ିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦେଢ଼ ବର୍ଷ ବିତିଥିଲେ ବି ମନ୍ତ୍ରୀଙ୍କ ଟୁର ନଜର ଆସିଲାନି । ଅଥଚ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୩୦ ଜିଲ୍ଲା ଗସ୍ତ ଶେଷ କରିଦେଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମନ୍ତ୍ରୀମାନେ ଏଣିକି ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବେ । ଏଥିପାଇଁ ଜିଲ୍ଲା ଓ ବ୍ଲକସ୍ତରକୁ ନିୟମିତ ଟୁର୍ କରିବେ । ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଏହାର ସମାଧାନ କରିବା ନେଇ ପଦକ୍ଷେପ ନେବେ । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହିତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଶତ ପ୍ରତିଶତ ପୁରା କରିବେ । ହେଲେ ମୁଖ୍ୟମନ୍ତ୍ରୀଙ୍କର ଏହି ୬-ଟି କୁଆଡ଼େ ଗଲା ସେନେଇ ଏବେ ପ୍ରଶ୍ନ ଉଠିଲାଣି । ମନ୍ତ୍ରୀମାନଙ୍କ ପାଇଁ ଯେଉଁ ଟି ଅର୍ଥାତ ଟୁର ଲାଗୁ ହେବାର ଥିଲା ତାହା ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଛି । ଆଉ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ନିଜେ ହିଁ ୬-ଟିକୁ କାର୍ଯ୍ୟକାରୀ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ୬-ଟି ଟୁର ଯୋଡ଼ିବା ପରେ କୌଣସି ମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବା ଦେଖିବାକୁ ମିଳିନାହିଁ । ମନ୍ତ୍ରୀମାନେ ଅନ୍ୟ ଜିଲ୍ଲା ଗସ୍ତ କରିବା ଦୂର କଥା ନିଜ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀକୁ ଯାଇ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରୁନାହାନ୍ତି ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମନ୍ତ୍ରୀମାନେ ଯଦି ବୁଲିବେ ମନ୍ତ୍ରୀ କଥା ଶୁଣିବ କିଏ । ମନ୍ତ୍ରୀ କଥା ଅଫିସର ଶୁଣୁନାହାନ୍ତି । ଅଫିସର ରାଜ୍ ଚାଲିଛି । ଲୋକେ ତାଙ୍କ ପାଖକୁ ଯେତେବେଳେ ଅଭିଯୋଗ ନେଇକି ଯିବେ ଏବଂ ମନ୍ତ୍ରୀ ବି ଅନୁଭବ କରିବେ ଲୋକଙ୍କ ଦାବି ଠିକ, ତାହାଲେ ମଧ୍ୟ ସେ କାର୍ଯ୍ୟ କରିପାରିବେ ନାହିଁ । ଅଫିସରମାନେ ତାଙ୍କ କଥା ଶୁଣିବେ ନାହିଁ । ୫-ଟି ସଚିବ ଗଲେ ତାଙ୍କ କଥା ସବୁ ଶୁଣୁଛନ୍ତି । ସେଥିପାଇଁ ଲୋକମାନେ ଆଶା ରଖିଛନ୍ତି ତାଙ୍କ କାର୍ଯ୍ୟ ହୋଇଯିବ । ତେଣୁ ମନ୍ତ୍ରୀ କଥା ପଚାରେ କିଏ । ଯେଉଁ ସ୍ଥାନରେ ମନ୍ତ୍ରୀ ଓ ବିଧାୟକ ସଚିବଙ୍କ ତମ୍ବୁ ଟାଣିବେ, ଚୌକି ବୋହିବେ, ପିଅନ ପରି କାର୍ଯ୍ୟ କରିବେ, ଚାକର ଭଳି କାର୍ଯ୍ୟ କରିବେ, ତାହାହେଲେ ତାଙ୍କୁ କିଏ ପଚାରିବ ।
ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି, ''୫-ଟି ସଚିବ ବୁଲିବାରେ ବହୁତ କଥା ଆସୁଛି । ସାଧାରଣ ଲୋକ ଚାହୁଁଛନ୍ତି ତତ୍କାଳୀନ କାମ । ଯିଏ ଆଗୁଆ କାମ କରିବ ଲୋକେ ତାକୁ ବିଶ୍ୱାସ କରିବେ । ମନ୍ତ୍ରୀ ଓ ବିଧାୟକଙ୍କର ବିଶେଷ କ୍ଷମତା ଆଉ ନାହିଁ । ଯିଏ କାମ କରିବ ତାକୁ ଲୋକେ ବିଶ୍ୱାସ କରିବେ । ୫-ଟି ସଚିବ ଯାଉଛନ୍ତି । କାର୍ଯ୍ୟକ୍ରମ କରୁଛନ୍ତି ଓ କହିକି ଆସୁଛନ୍ତି । ପ୍ରାୟ ୧୦ ରୁ ୧୨ ଦିନ ଭିତରେ କାମ ମଧ୍ୟ ହେଉଛି । ଲୋକଙ୍କ ଆତ୍ମବିଶ୍ବାସ ହେଉଛି ୫-ଟି ସଚିବ ଆସୁଛନ୍ତି ଆମ କାମ ହେଉଛି । ଉଦଳାକୁ ୫-ଟି ସଚିବ ଯାଇଥିଲେ । ୨୦୦ ଅଭିଯୋଗ ଆସିଲା । ୪୦ ସମାଧାନ ହେଲା । ଆଉ କାହିଁକି ହେଲା ନାହିଁ ସେଇଟା ୫-ଟି ସଚିବ ସମୀକ୍ଷା କରିବେ । ଗଣତାନ୍ତ୍ରିକ କି ଅଗଣତନ୍ତ୍ରୀକି ମୁଁ କହି ପାରିବି ନାହିଁ । କିନ୍ତୁ ନିୟମ ଦୃଷ୍ଟି କୋଣରୁ ଏସବୁ ହେବା କଥା ।''
ଏହାମଧ୍ୟ ପଢନ୍ତୁ: ଓଡିଶାରେ ତାମିଲ ଶାସନ ଚାଲିଛି, ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି: ଶରତ ପଟ୍ଟନାୟକ
ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ସେ କହିଛନ୍ତି ଯେ, ବିଧାୟକ ଓ ମନ୍ତ୍ରୀ ସବୁବେଳେ ପରିଶ୍ରମ କରୁଛନ୍ତି । ନିଜ ଅଞ୍ଚଳରେ ବୁଲୁଛୁ । ଅଭିଯୋଗରେ ସେମିତି କିଛି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗ୍ରିଭେନ୍ସ ଗ୍ରହଣ କରିବା ଆଇନରେ ଅଛି । ସେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ଗ୍ରିଭେନ୍ସ ଗ୍ରହଣ କରୁଛନ୍ତି । ତାଙ୍କର ଦୁଃଖ ସୁଖ ବୁଝିକି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି କାର୍ଯ୍ୟକ୍ରମ କରାଇବାରେ ଅସୁବିଧା କିଛି ନାହିଁ । ନିର୍ବାଚନ ପ୍ରଚାର କରିବାର ପ୍ରଶ୍ନ ନାହିଁ । ସେ ସମ୍ପୂର୍ଣ୍ଣ ଭାବେ ଅଫିସିଆଲ କାମ କରୁଛନ୍ତି । ଲୋକଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝୁଛନ୍ତି । ଗ୍ରିଭେନ୍ସ ସେଲ ଖୋଲା ହୋଇଛି । ଲୋକଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି । ସେଥିରେ କୌଣସି ରାଜନୈତିକ କଥା କିଛି ନାହିଁ ।
ସରକାରୀ କାର୍ଯ୍ୟକ୍ରମରେ ହେଲିକପ୍ଟର ବ୍ୟବହାର କରୁଛନ୍ତି । ଦୁଇ ଦିନରେ ଗୋଟେ ଜିଲ୍ଲା ବୁଲିବା ସମ୍ଭବ ନୁହେଁ । ଲୋକଙ୍କ କାମ ପାଇଁ ତାଙ୍କ ପାଖକୁ ୫-ଟି ସଚିବ ଯାଉଛନ୍ତି । ଟିକେଟ ପ୍ରଦାନ ବାବଦରେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ । ମୁଖ୍ୟମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଭାବେ ସେ ଦକ୍ଷତା ଅଛି । ସବୁ କଥାର ନିଷ୍ପତ୍ତି ସେ କରୁଛନ୍ତି । ଏଥିରେ କିଛି ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ସାରା ଓଡିଶା ବୁଲି ସବୁ କଥା କରିପାରିବେ ନାହିଁ । ସେଥିପାଇଁ ସଚିବଙ୍କୁ ପଠାଉଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର