ଭୁବନେଶ୍ବର: ଆନ୍ଦୋଳନ ପ୍ରତ୍ୟାହାର କଲେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ । ଡ୍ରାଇଭର ଏକତା ମହାମଞ୍ଚ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୦ ଦଫା ଦାବିରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ ଏମାନଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୋଲିସ ଡିଜିଙ୍କଠାରୁ ପ୍ରତିଶୃତି ପାଇବା ପରେ ଅଟୋ ଚାଳକ ସଂଘ ଆନ୍ଦୋଳନରୁ ଓହରିଛନ୍ତି ।
ଗତକାଲି ମହାମଞ୍ଚର ଆନ୍ଦୋଳନ ସମୟରେ ଯେଉଁ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ନ ହୋଇ ରାସ୍ତାରେ ଗାଡି ଚଳାଉଥିଲେ ସେମାନଙ୍କୁ ‘ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ’ ଲେଖାଥିବା ପ୍ଲା କାର୍ଡ ଧରାଇ ଫଟୋ ଉଠାଯାଇଥିଲେ ମହାମଞ୍ଚର ସଦସ୍ୟ । ଏହି ଫଟୋ ଜଣେ ଡ୍ରାଇଭର ବା ସାମାଜିକ ପ୍ରାଣୀ ଭାବେ ଚାଳକଙ୍କର ସମ୍ମାନ, ମର୍ଯ୍ୟାଦା ହାନି କରୁଥିବାରୁ ଗତକାଲି ଦିଆଯାଇଥିବା ଅପମାନକୁ ବିରୋଧ କରି ଆଜି ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନଠାରେ ପ୍ରତିବାଦ କରିଥିଲେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ । ଆଉ ସେମାନଙ୍କର ସାମାଜିକ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ଏହାକୁ ନେଇ ଆଜି ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ ସମେତ ୭ ସଂଘର ଡ୍ରାଇଭରମାନେ ଡିଜିଙ୍କୁ ଭେଟିଛନ୍ତି । ଡିଜିଙ୍କ ସହ ସିପିଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରଛନ୍ତି । କାରଣ ଡିଜି ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଯେଉଁମାନେ ଡ୍ରାଇଭରମାନଙ୍କୁ ଅପମାନିତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଆଉ ଆଗକୁ ଆନ୍ଦୋଳନ କିଭଳି ଶାନ୍ତି ଶୃଙ୍ଖଳାର ସହ ଚାଲିବ ସେନେଇ ମଧ୍ୟ ଧ୍ୟାନ ଦିଆଯିବ। ଏପରିକି ଯେତେବେଳେ ସେମାନେ କୌଣସି ସ୍ଥାନରେ ଆଇନକୁ ହାତକୁ ନେଇ କୌଣସି ଡ୍ରାଇଭରଙ୍କ ସମ୍ମାନକୁ ହାନି କରିବେ ସେହି ସମୟରେ ସ୍ଥାନୀୟ ଥାନାରେ ମାମଲା ଦେବା ସହ ୧୧୨କୁ କଲ କରି ସାହାଯ୍ୟ ମାଗିପାରିବେ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ- ମାଟ୍ରିକ ପରୀକ୍ଷା ସୁପରିଚାଳନାରେ ବିଫଳ ରାଜ୍ୟ ସରକାର: ABVP
ଏହାପରେ ଡ୍ରାଇଭରମାନଙ୍କ ସୁରକ୍ଷାକୁ ନେଇ ଆଶ୍ଵସ୍ତି ପାଇଥିଲେ ଆନ୍ଦୋଳନରତ ଡ୍ରାଇଭର । ଏହାପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି । ଏହାପରେ ବି ଯଦି ପୋଲିସ ସେମାଙ୍କର କଥା ନ ରଖେ ବା ଆନ୍ଦୋଳନରତ ମହାମଞ୍ଚର ଆଚରଣ ଖରାପ ହୁଏ, ତେବେ ସ୍ମାର୍ଟସିଟି ଅଟୋ ଚାଳକ ସଂଘ ବାଧ୍ୟ ହୋଇ ବଡ଼ ଧରଣର ଆନ୍ଦୋଳନ କରି ସହରର ଅଖ ଚଖ ବନ୍ଦ କରିବ ବୋଲି ଚେତାବନୀ ଦେଇଛି । ବର୍ତ୍ତମାନ ପୋଲିସ ଡିଜିଙ୍କ ପ୍ରତିଶୃତି ଓ ପିଲାଙ୍କ ପରୀକ୍ଷାକୁ ନେଇ ଅଦୋଳନ ସ୍ଥଗିତ ରଖିଥିବା ବେଳେ ଆଗାମୀ ଦିନରେ ପୁଣି ଡ୍ରାଇଭରମାନଙ୍କ ସମ୍ମାନ ଓ ଅଧିକାର ପାଇଁ ବାହାରିବେ ବୋଲି କହିଛନ୍ତି ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘ ସଭାପତି ଦୀନବନ୍ଧୁ ନାୟକ ।
ସେହିପରି ନିଖିଳ ଓଡିଶା ମହାସଂଘର ସମ୍ପାଦକ ପଦମନ କୁମାର ସାମଲ କହିଛନ୍ତି, "ଡ୍ରାଇଭର ମହାସଂଘର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକ କରିଛନ୍ତି । ଏହାକୁ ଶାନ୍ତିପୂର୍ଣ୍ଣ କରିବେ ବୋଲି କହିଥିଲେ। ହେଲେ ସେମାନେ ତାହା ନକରି ଜାଗା ଜାଗା ଅଶାନ୍ତି ଓ ଭୟର ବାତାବରଣ ସୃଷ୍ଟି କରିଛନ୍ତି । ଆକ୍ରମଣ କରିବା ସହ ହିଂସାତ୍ମକ ଆଚରଣ କରିଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ଆଉ ଗଣତନ୍ତ୍ର ପାଇଁ ବିପଦ । ସରକାରଙ୍କ ପଦକ୍ଷେପ ବିଷୟରେ ସେମାନଙ୍କର ଧାରଣା ନାହିଁ ସମସ୍ତଙ୍କୁ ନେଇ ସେମାନେ ଆନ୍ଦୋଳନ କରୁନାହାନ୍ତି । ଗୋଷ୍ଠୀ ଦାଦାଗିରି କରି ଆନ୍ଦୋଳନ କରୁଥିବାରୁ ଆମେ ତାଙ୍କୁ ନିନ୍ଦା କରୁଛୁ ବିରୋଧ କରୁଛୁ । ଆଜିର ଆଲୋଚନା ପରେ ଆମେ ଆଶାବାଦୀ ଅଛୁ କି ଆଗକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷାର ସହ ଆମେ ସେବା ପ୍ରଦାନ କରିପାରିବୁ ।"
ଇଟିଭି ଭାରତ, ଭୁବନେଶ୍ବର