ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବଢ଼ିବନି ବିଦ୍ୟୁତ ଦର । 2022-23 ପରି 2023-24 ଆର୍ଥିକ ବର୍ଷରେ ଅପରିବର୍ତ୍ତିତ ରହିବ ବିଜୁଳି ଦର । ଏହା ସହ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ 10 ପଇସା ରିହାତି ବ୍ୟବସ୍ଥା କରାଯାଇଛି । ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା 1 ଟଙ୍କା 60 ପଇସା ରିହାତି ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ ପହିଲାରୁ ଏହି ବ୍ୟବସ୍ଥା ଲାଗୁ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ।
ଓଇଆରସିର ସଚିବ କହିଛନ୍ତି ଯେ, ବିଦ୍ୟୁତ ଦର ନେଇ ଓଇଆରସିରେ ଶୁଣାଣୀ ହୋଇଛି । 2023-24 ଆର୍ଥିକବର୍ଷରେ ବିଦ୍ୟୁତ ଦର ବୃଦ୍ଧି ନକରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା 10 ପଇସା ରିହାତି ମିଳିବ । ଶୀତଳ ଭଣ୍ଡାରରେ ଚାଷୀଙ୍କ ପାଇଁ ୟୁନିଟ ପିଛା 1 ଟଙ୍କା 60 ପଇସା ରିହାତି ଦିଆଯାଇଛି । ପୂର୍ବରୁ ଏହା 4 ଟଙ୍କା 60 ଥିବା ବେଳେ ଏବେ 3 ଟଙ୍କା ଦେବାକୁ ହେବ । ପୂର୍ବବର୍ଷ ଭଳି 0 ରୁ 50 ୟୁନିଟ ଯାଏଁ ଦର 3 ଟଙ୍କା ରହିବ । 50ରୁ 200 ୟୁନିଟ ଯାଏଁ ଦର 4 ଟଙ୍କା 80 ପଇସା, 200ରୁ 400 ୟୁନିଟ ଯାଏ ବିଜୁଳି ଦର 5 ଟଙ୍କା 80 ପଇସା ରହିବ ।
ଏହାବି ପଢନ୍ତୁ- Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା
ସେହିପରି 400 ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର 6 ଟଙ୍କା 20 ପଇସା ରହିବ । ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ ଡିଜିଟାଲ ମୋଡରେ ପେମେଣ୍ଟ କଲେ 4 ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଏହା 3 ପ୍ରତିଶତ ମିଳୁଥିଲା । ରେଳବାଇରେ ବିକାଶ ଲାଗି ୟୁନିଟ ପିଛା 25 ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି OERC । ଏହା ଦ୍ଵାରା ରେଳ ବିକାଶ କାର୍ଯ୍ୟକୁ ଶକ୍ତି ମିଳିବ । ଏତତ ବ୍ୟତୀତ ଘରୋଇ ଉପଭୋକ୍ତାଙ୍କ ପାଇଁ DPS ଛାଡ଼ କରାଯାଇଛି । ଅର୍ଥାତ ବିଳମ୍ବରେ ବିଲ ପୈଠ କଲେ ପେନାଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି । କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ 13 ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ARR ଏବଂ ତାରିଫ ବାବଦରେ ଶୁଣାଣି କରିଥିଲେ । ସାମ୍ବାଦିକ ସମ୍ମିଳନୀରେ OERC ପିଏଓ ସଞ୍ଜୟ ରାଉତ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର